ବଲାଙ୍ଗୀର : ସ୍ଥାନୀୟ ନିଖିଳ ନଗର ନାବାଳିକା ହତ୍ୟା ଘଟଣାର ପୁଲିସ ଶନିବାର ପର୍ଦ୍ଦାଫାସ କରିଛି। ଆଗଲପୁର ବ୍ଲକ୍‌ ରୋତ ଗାଁର ସଂପର୍କୀୟ ତିନିଭାଇ ଏହି ବର୍ବର କାଣ୍ଡରେ ସାମିଲ ଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ମିଳନ ରଣା (୨୧ବର୍ଷ) ଓ ସହଯୋଗୀ ଜିତୁ (୧୯ବର୍ଷ)କୁ ପୁଲିସ ଗିରଫ କରିଛି। ଘଟଣାରେ ବ୍ୟବହୃତ କଟୁରି ଓ ବାଇକ୍‌କୁ ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି ବିଶ୍ବଜିତ ମନବୋଧ ସୂଚନା ଦେଇଛନ୍ତି।

Advertisment

ସୂଚନା ମୁତାବକ, ଘଟଣା ଦିନ ମୁଖ୍ୟ ଅଭିଯୁକ୍ତ ମିଳନ ନିଜ ଗାଁର ଦୁଇ ସଂପର୍କୀୟ ଭାଇଙ୍କ ସହ ବଲାଙ୍ଗୀରରେ ପହଞ୍ଚିଥିଲା। ଜଣେ ସେଣ୍ଟ୍ରାଲ ସ୍କୁଲ ପାଖରେ ଓହ୍ଲାଇ ଯାଇଥିବା ବେଳେ ମିଳନ ଓ ଭାଇ ଜିତୁ ନାବାଳିକା ଶେଷାଦ୍ରି ଘରକୁ ଯାଇଥିଲେ। ଶେଷାଦ୍ରି ପୂର୍ବରୁ ମିଳିଥିବା ଉପହାର ଟେଡିବିଅରକୁ ଫେରାଇ ଦେବା ପାଇଁ ବାହାରେ ରଖିଥିଲେ। ମିଳନ ଘର ପଛପଟୁ ଭିତରକୁ ପଶିଥିଲା। ଶେଷାଦ୍ରି ଟେଡିବିଅର ଫେରାଇ ଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମିଳନ ଏଥିରେ ରାଗିଯାଇ ଶେଷାଦ୍ରିଙ୍କୁ ଏକ ଶକ୍ତ ଚାପୁଡ଼ା ମାରିବାରୁ ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ମିଳନ ଏତିକରେ ଶାନ୍ତ ନହୋଇ ଘର ବାହାରେ ପଡ଼ିଥିବା ଏକ କଟୁରି ଆଣି ଶେଷାଦ୍ରିଙ୍କ ବେକ ଓ ମୁଣ୍ଡରେ ଏକାଧିକ ଚୋଟ ମାରିଥିଲା। ଏଥିରେ ଶେଷାଦ୍ରିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ପ୍ରକାଶ ଯେ, ଆଗଲପୁର ବ୍ଲକ୍‌ ରୋତ୍ ଗ୍ରାମ କୁମ୍ଭାରପଡ଼ା ନିବାସୀ ମିଳନ ରଣାଙ୍କ ସହିତ ମୃତକଙ୍କ ପାରିବାରିକ ସଂପର୍କ ଥିଲା। ପ୍ରାୟ ଚାରିବର୍ଷ ତଳେ ଏକ ବିବାହ ଉତ୍ସବରେ ମୃତ ନାବାଳିକା ଓ ମିଳନଙ୍କ ପ୍ରଥମ ଥର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମିଳନ ଗତବର୍ଷ ମୃତକଙ୍କୁ ଏକ ଟେଡିବିଅର ଉପହାର ଦେଇଥିଲା। ମୃତକଙ୍କ ମାଙ୍କ ମୋବାଇଲ ଫୋନ୍‌ରେ ଉଭୟେ ଚାଟିଂ ଓ କଥାବାର୍ତ୍ତା କରୁଥିଲେ। କିନ୍ତୁ, ବିଗତ କିଛିଦିନ ହେଲା ଏହି ସଂପର୍କକୁ ଶେଷାଦ୍ରି ବାରଣ କରି ଆସୁଥିଲେ। ଘଟଣା ଦିନ ଶେଷାଦ୍ରି ସଂପର୍କ ଆଉ ରଖିବେ ନାହିଁ ବୋଲି ପୁଣି ମନା କରିବାରୁ ମିଳନ ରାଗିଯାଇ ନିଜ ହାତରେ ପ୍ରେମିକାଙ୍କୁ ବର୍ବର ଭାବେ ହତ୍ୟା କରି ଫେରାର ମାରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।