ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ତିନି ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

କଟକ: ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସ୍ବାମୀ ଲିପୁନ୍‌ ସାହୁଙ୍କୁ ଆଜି ରାତିରେ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି। ଶୁକ୍ରବାର ରାତିରେ ଲିପୁନ୍‌ ଓ ନିକିତାଙ୍କ ମଧ୍ୟରେ ଛାତ ଉପରେ ପାଟିତୁଣ୍ତ ହୋଇଥିଲା। ସେହି ସମୟରେ ନିକିତା ଛାତରୁ ଖସି ପଡ଼ିଥିଲେ। ଲିପୁନ୍‌ ଉଦ୍ଦେଶ୍ୟମୂଳକ ଭାବେ ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ନା ନିକିତା ଭାରସାମ୍ୟ ହରାଇ ଛାତରୁ ଖସିପଡ଼ିଲେ, ତାହାକୁ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ ସ୍ପଷ୍ଟ ହୋଇପାରିନାହିଁ। ଆସନ୍ତାକାଲି ଅଧିକ ଜେରା ଓ ଛାନଭିନ ପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସର ଏକ ତିନି ଜଣିଆ ଟିମ୍‌ ଆଜି ଗଠନ କରାଯାଇଛି। ଏହି ଟିମ୍‌ ମହାନଦୀବିହାରରେ ଥିବା ନିକିତାଙ୍କ ବାପ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ପଡେ଼ାଶୀଙ୍କ ଛାତ ଉପରେ ଲାଗିଥିବା ରକ୍ତ ନମୁନା ସ˚ଗ୍ରହ କରିଛି। କିନ୍ତୁ ନିକିତା ଛାତରୁ ଖସିବା ସମୟରେ ଲିପୁନ ଉପସ୍ଥିତ ଥିବାରୁ ସେହି ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ନିକିତା ଯଦି ଆତ୍ମହତ୍ୟା ଉଦ୍ଦେଶ୍ୟରେ ଛାତରୁ ଡେଇଁଥାନ୍ତେ, ତେବେ ତାଙ୍କ ମୁହଁର ସାମ୍‌ନା ପାର୍ଶ୍ବରେ କ୍ଷତ ହୋଇଥାନ୍ତା। କିନ୍ତୁ ମୁଣ୍ତର ପଛ ପାର୍ଶ୍ବରେ କ୍ଷତ ଥିବାରୁ ସନ୍ଦେହ କରାଯାଉଛି ଯେ ତାଙ୍କୁ ସାମ୍‌ନା ପାର୍ଶ୍ବରୁ ଧକ୍କା ଦିଆଯିବାରୁ ସେ ପଛୁଆ ତଳେ ଖସି ପଡ଼ିଛନ୍ତି। ପୁଲିସ ଏଭଳି ଆଶଙ୍କା କରୁଥିବା ବେଳେ ତଦନ୍ତ ପରେ ଘଟଣା ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।
ନିକିତା (ଲକ୍ଷ୍ମୀପ୍ରିୟା ବେହେରା)ଙ୍କ ମହାନଦୀବିହାରସ୍ଥିତ ବାପ ଘରକୁ ଗତ ୪ ତାରିଖରେ ତାଙ୍କ ସ୍ବାମୀ ଲିପୁନ୍‌ ଆସିଥିଲେ। ପୁଲିସ କହିବା ଅନୁଯାୟୀ ଘରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ତ ହୋଇଥିଲା। ଲିପୁନ୍‌ ପରିବାର ଲୋକଙ୍କ ଭିତରେ ଏମିତି ପାଟିତୁଣ୍ତ ନକରି ନିିକିତାଙ୍କୁୁ ଛାତ ଉପରକୁ ଡାକି ନେଇଥିଲେ। କିଛି ସମୟ‌ ପରେ ନିକିତା ପଡେ଼ାଶୀଙ୍କ ଛାତରେ ଖସି ପଡିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ ପାଇଁ ଗଠିତ ତିନି ଜଣିଆ ଟିମ୍‌ରେ ବଡ଼ ମେଡିକାଲ୍‌ର ଏଫ୍‌ଏମ୍‌ଟି ବିଭାଗର ଅଧିକାରୀ, ଫରେନସିକ ସାଇନ୍ସ ଲାବ୍ରୋଟାରିର ଅଧିକାରୀ ଏବ˚ ଚାଉଳିଆଗଞ୍ଜ ଥାନାର ତଦନ୍ତକାରୀ ଅଧିକାରୀ ଅଜୟ ଦାସ ସାମିଲ ହୋଇଛନ୍ତି। ଟିମ୍‌ ଆଜି ସକାଳ ପ୍ରାୟ ୧୨ଟା ବେଳେ ମହାନଦୀବିହାରରେ ଥିବା ନିକିତାଙ୍କ ବାପ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ନିକିତାଙ୍କ ବାପା ସନାତନ ବେହେରାଙ୍କ ସମେତ ତାଙ୍କ ମା’, ଭାଇ, ଭଉଣୀ ଏବ˚ ୩ ଜଣ ପଡେ଼ାଶୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଟିମ୍‌ ପ୍ରାୟ ୨ ଘଣ୍ଟା କାଳ ତଦନ୍ତ କରିବା ପରେ ୨ଟା ୩୦ ଫେରିଥିଲା। ଆଜି ଅପରାହ୍ନ ୫ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଡିସିପି ଅଖିଳେଶ୍ବର ସି˚ହ ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ଲିପୁନ୍‌ ଏବ˚ ନିକିତାଙ୍କ ପରିବାର ଲୋକଙ୍କୁ ଜେରା କରିଥିଲେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ କି ପ୍ରକାର ବିବାଦ ଥିଲା ଏବ˚ ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା, ସେ ନେଇ ପଚରାଉଚରା କରିଥିଲେ।

ପୁଲିସକୁ ଲିପୁନ୍‌ଙ୍କ କହିବା ଅନୁଯାୟୀ, ନିକିତା ଏବ˚ ଲିପୁନ୍‌ଙ୍କ ସହିତ ତାଙ୍କ ଶଳା ବି ଛାତ ଉପରେ ଥିଲେ। ଛାତ ଉପରୁ ଖସି ନିକିତାଙ୍କ ମୃତ୍ୟୁ ହୋଇଥିବା ଲିପୁନ୍‌ କହୁଥିବା ବେଳେ ବାପା ସନାତନ ବେହେରା ଏହାକୁ ଖଣ୍ତନ କରିଛନ୍ତି। କିନ୍ତୁ ଜେରା ପରେ ଛାତ ଉପରେ ପ୍ରକୃତରେ ନିକିତାଙ୍କ ସହିତ କେବଳ ଲିପୁନ୍‌ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଗଣ୍ତଗୋଳ ଏବ˚ ଠେଲାପେଲା ଅଭିଯୋଗରେ ପୁଲିସ ଲିପୁନ୍‌ଙ୍କୁ ଆଜି ଗିରଫ କରିଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି।

ସମ୍ବନ୍ଧିତ ଖବର