‘ମୋ ସରକାର’ରେ ସାମିଲ ପୂର୍ବରୁ ଘର ସଜଡ଼ା : ବିଭାଗ ଦୋଷ କାଢ଼ିଲେ ସଚିବ

ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଗୁରୁତ୍ୱ, ଅବ୍ୟବହୃତ ଜମିକୁ ରାଜସ୍ୱ ଖାତାକୁ ଫେ‌ରାଯିବ

ଭୁବନେଶ୍ବର : ବାଲି, ଗୋଡ଼ି, ମୋରମ୍ ପରି ଲଘୁ ଖଣିଜ ଶହ ଶହ କୋଟି ଟଙ୍କାର ଚୋରା ଚାଲାଣ ନେଇ ହଇଚଇ ପରେ ସରକାର ଚେତିଲେ। ରାଜସ୍ବ ବିଭାଗ ଅଧୀନରେ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସରକାର ଗଠନ କଲେ। କିନ୍ତୁ ଚୋରା ଚାଲାଣ ରୋକିବାରେ ଜିଲ୍ଲା ପ୍ରଶାସନ ଯେତିକି ସହଯୋଗ କରିବା କଥା ସେତିକି କରୁନି। ଜିଲ୍ଲାପାଳମାନେ ଯେତିକି ଗୁରୁତ୍ବ ଦେଇ ଏହାକୁ ଅନୁଧ୍ୟାନ କରିବା କଥା ସେତିକି କରୁନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜସ୍ବ ସଚିବ। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର ରାଜସ୍ବ ଆଦାୟକୁ ଗୁରୁତ୍ବ ଦେଉନାହାନ୍ତି। ଅବ୍ୟବହୃତ ସରକାରୀ ଜମିକୁ ରାଜସ୍ବ ଖାତାକୁ ଫେରାଇ ଆଣିବାକୁ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ୧୧ଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲା ଏ ଯାଏ ଜମି ଚିହ୍ନଟ କରିନାହାନ୍ତି। ଲୋକଙ୍କ ଅଭିଯୋଗ ପ୍ରତିବିଧାନ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଆପ୍‌ରୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଜିଲ୍ଲାପାଳମାନେ ଚୁପ୍‌ ବସିପଡ଼ିଛନ୍ତି। ରାଜସ୍ବ ବିଭାଗର ଏପରି ବିକଳ ଦୃଶ୍ୟ ସମୀକ୍ଷା ବୈଠକରେ ଧରାପଡ଼ିଛି। ୨୦୨୦ ଫେବ୍ରୁଆରି ପହିଲାରୁ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ। ରାଜସ୍ବ ବିଭାଗର ଏପରି ସ୍ଥାଣୁତା ସ୍ଥିତିକୁ ସଜାଡ଼ିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ୍ କରିଛନ୍ତି।

ଗତ ୧୦ ତାରିଖରେ ଭିଡିଓ କନ୍‌ଫରେସିଂ ଜରିଆରେ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ରାଜସ୍ବ ସଚିବ ଶ୍ରୀ ଧଳ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରତ୍ୟେକ ଜିଲ୍ଲାରେ ବାଲି, ଗୋଡ଼ି, ମୋରମ୍ ଓ ଖଣ୍ଡୋଲାଇଟସ୍ ପଥର ପରି ଲଘୁ ଖଣିଜ ପଦାର୍ଥ କେତେ ପରିମାଣରେ ଅଛି ତାର ଜିଲ୍ଲା ସର୍ବେକ୍ଷଣ ରିପୋର୍ଟ (ଡିଏସଆର୍) ଓ ଖଣିଜ ନକ୍ସା ଜିଲ୍ଲାପାଳମାନେ ପ୍ରସ୍ତୁତ କରି ପଠାଇବାକୁ ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଜିଲ୍ଲାରେ ନୂଆ ଲଘୁ ଖଣିଜ ପଦାର୍ଥର ଉତ୍ସ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଲା ୧୮ଟି ଜିଲ୍ଲା ସେମାନଙ୍କର ଡିଏସଆର୍ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ କରିନାହାନ୍ତି। କୋରାପୁଟ, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ ବଲାଙ୍ଗୀର ଜିଲ୍ଲାରେ କୌଣସି ନୂଆ ଲଘୁ ଖଣିଜ ଉତ୍ସ ଚିହ୍ନଟ ହୋଇନାହିଁ। ଲଘୁ ଖଣିଜ ଚୋରା ଚାଲାଣ ଧରିବା ପାଇଁ ନିୟୋଜିତ ଏନଫୋର୍ସମେଣ୍ଟ୍ ସ୍କ୍ବାଡ୍‌ ବାବଦରେ ପ୍ରଦତ୍ତ ପାଣ୍ଠିର ବିନିଯୋଗ ପ୍ରମାଣ ପତ୍ର ୬ଟି ଜିଲ୍ଲା ପ୍ରଦାନ କରିଛନ୍ତି। ବାକି ଜିଲ୍ଲା ଏବେ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିନାହାନ୍ତି।

ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଥିବା ସରକାରୀ କାର୍ଯ୍ୟାଳୟରେ ବହୁ ପରିମାଣର ସରକାରୀ ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। ଏସବୁ ଜମିଗୁଡ଼ିକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରାଇ ଅଣାଯିବ। ଏଥିପାଇଁ ବ୍ୟବହାର ହେଉ ନଥିବା ଜମି ଚିହ୍ନଟ କରି ରାଜସ୍ବ ବିଭାଗକୁ ଜଣାଇବାକୁ ପ୍ରାୟ ତିନିମାସ ତଳେ ରାଜସ୍ବ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଗତ ଅକ୍ଟୋବର ମାସ ୩୦ ତାରିଖକୁ କଣ୍ଟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେହି ସମୟ ଭିତରେ ମାତ୍ର ୧୧ଟି ଜିଲ୍ଲାରୁ ରିପୋର୍ଟ ମିଳିଛି। ଏ ନେଇ ରାଜସ୍ବ ସଚିବ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆସନ୍ତା ୩୧ ତାରିଖ ସୁଦ୍ଧା ଅବ୍ୟବହୃତ ଜମି ଚିହ୍ନଟ କରି ରାଜସ୍ବ ବିଭାଗ ପାଖକୁ ପଠାଇବାକୁ ବାକି ୨୪ ଜିଲ୍ଲାପାଳଙ୍କୁ ଶ୍ରୀ ଧଳ ତାଗିଦ୍ କରିଥିଲେ। ବସୁନ୍ଧରା ଯୋଜନାରେ ପ୍ରତିମାସରେ ଭୂମିହୀନ ପରିବାରଙ୍କୁ ମାଗଣାରେ କେତେ ଜମି ପ୍ରଦାନ କରାଗଲା ସେ ନେଇ ପରବର୍ତ୍ତୀ ମାସର ପହିଲା ତାରିଖରେ ଜିଲ୍ଲାପାଳମାନେ ରାଜସ୍ବ ବିଭାଗକୁ ରିପୋର୍ଟ ପଠାଇବା କଥା। କିନ୍ତୁ ଅଧିକାଂଶ ଜିଲ୍ଲାପାଳ ଏହି ନିୟମର ଅନୁପାଳନ କରୁନାହାନ୍ତି। ନଭେମ୍ବର ପାଇଁ କେବଳ ୧୯ଟି ଜିଲ୍ଲାରୁ ରିପୋର୍ଟ ଆସିଥିବା ନେଇ ସଚିବ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏବେ ବି ୧୮ ହଜାର ୯୯୦ ଜଣ ଭୂମିହୀନ ପରିବାର ଜମି ପାଇବାକୁ ଅପେକ୍ଷା କରିଛନ୍ତି। ଏମାନଙ୍କୁ ଆସନ୍ତା ଜାନୁଆରି ଶେଷସୁଦ୍ଧା ଜମି ପଟ୍ଟା ସହ ଜମିର ମାପ କରି ଦଖଲ ହସ୍ତାନ୍ତର କରିବାକୁ ରାଜସ୍ବ ସଚିବ ନିର୍ଦ୍ଦେଶ ଦେଇଥିଲେ। ପ୍ରତିମାସର ପହିଲା ତାରିଖରେ ଯେପରି ବସୁନ୍ଧରା ରିପୋର୍ଟ ସରକାରଙ୍କୁ ମିଳିବ ସେଥିପାଇଁ ଜିଲ୍ଲାପାଳମାନେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜସ୍ବ ଆଦାୟ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ତତ୍ପରତା ଦେଖାଉ ନାହାନ୍ତି। ଏ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ ରାଜସ୍ବ ସଚିବ। ବୈଠକରେ ଶ୍ରୀ ଧଳ ନିର୍ଦ୍ଦେଶ ଦେଇ କହିଥିଲେ, ଏଣିକି ଜିଲ୍ଲାପାଳମାନେ ସେମାନଙ୍କର ଦୈନଦିନ କାର୍ଯ୍ୟ ସମୟର ୨୫% ରାଜସ୍ବ କାର୍ଯ୍ୟ ବାବଦରେ ବିନିଯୋଗ କରିବେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ କାର୍ଯ୍ୟସମୟର ୫୦%ଏବଂ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ସେମାନଙ୍କ କାର୍ଯ୍ୟସମୟର ୮୦% ରାଜସ୍ବ କାର୍ଯ୍ୟ ପାଇଁ ବିନିଯୋଗ କରିବାକୁ ପଡ଼ିବ।

ଗତ ଅକ୍ଟୋବର ୨୧ ତାରିଖ ସୁଦ୍ଧା ସମସ୍ତ ତହସିଲ ଓ ଜିଲ୍ଲା ରାଜସ୍ବ କାର୍ଯ୍ୟାଳୟରେ ଇ-ଡେସପାଚ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତାହା ବି ଏ ଯାଏ ହୋଇପାରିନି। ମୋଟ୍ ୬୬୮ଟି ରାଜସ୍ବ କାର୍ଯ୍ୟାଳୟରୁ ମାତ୍ର ୪୮ଟିରେ ଇ-ଫାଇଲିଂ ବ୍ୟବସ୍ଥା ଉପଲବ୍ଧ ହୋଇଛି। ଏହି ସମୟ ଭିତରେ ନୂଆପଡ଼ା ଓ ଜଗତସିଂହପୁର ଜିଲ୍ଲାପାଳମାନେ ଇ-ଡେସପାଚ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିଥିବାରୁ ସେମାନଙ୍କୁ ସଚିବ ପ୍ରଶଂସା କରିଥିଲେ। ଆବାସ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ପାଇଁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିବାପରେ ଆବେଦନକାରୀଙ୍କୁ ତ୍ବରିତ ପ୍ରମାଣପତ୍ର ଯେପରି ପ୍ରଦାନ କରାଯିବ ସେ ନେଇ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଆପତ୍ତିବିହୀନ ଦାଖଲ-ଖାରଜ ମାମଲାଗୁଡ଼ିକରୁ ଶୀଘ୍ର ଫଇସଲା କରିବାକୁ ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର, ପୁରୀ, ବରଗଡ଼ ଓ ଗଞ୍ଜାମ ଜିଲ୍ଲାରେ ବହୁ ସଂଖ୍ୟାରେ ଦାଖଲ-ଖାରଜ ମାମଲା ପଡ଼ିରହିଥିବା ନେଇ ଶ୍ରୀ ଧଳ ଉଦ୍‌ବେଗ ପ୍ରକାଶ କରିଥିଲେ। ଏସବୁ ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବାକୁ ସମ୍ପୃକ୍ତ ଜିଲ୍ଲାର ତହସିଲଦାରମାନଙ୍କୁ ସେ ନିର୍ଦ୍ଦେଶ ଦେବା ସହ ମାସକୁ କେତେ ମ୍ୟୁଟେସନ ମାମଲା ଫଇସଲା ହେଲା ତାର ତଦାରଖ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ଦ ହୋଇଥିବା ମାମଲାଗୁଡ଼ିକର ସାନି ସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଖାଲି ସେତିକି ନୁହେଁ, ଆପ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବା ପାଇଁ କରାଯାଇଥିବା ବ୍ୟବସ୍ଥାରେ ବି ଜିଲ୍ଲାପାଳମାନେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଛନ୍ତି। ଏବେ ବି ମୁଖ୍ୟମନ୍ତ୍ରୀଙ୍କ ଆପ୍ ଯୋଗେ ମିଳିଥିବା ୨୮ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ବୈଠକରେ ଜଣାପଡ଼ିଥିଲା। ସେସବୁ ଅଭିଯୋଗର ପ୍ରତିବିଧାନ ପାଇଁ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଚଳିତମାସ ଶେଷସୁଦ୍ଧା ଜିଲ୍ଲାରେ ଥିବା ଗାଁଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ। ଏହାସହିତ କେଉଁ ବ୍ଲକ୍‌ରେ ପ୍ରତିରକ୍ଷା ଗବେଷଣା କେନ୍ଦ୍ର, ସିଆରପିଏଫ ଅଫିସ୍, ସୀମା ସୁରକ୍ଷା ବାହିନୀ କିମ୍ବା ମିଲିଟାରି କାର୍ଯ୍ୟାଳୟ ଅଛି ତାର ବିସ୍ତୃତ ବିବରଣୀ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର