ଆରମ୍ଭ ହେଲା ନୀଳଚକ୍ର ଆଳତି

ପୁରୀ : ଚତୁର୍ଦ୍ଧା ମୂରତିଙ୍କ ମଧ୍ୟରୁ ସୁଦର୍ଶନ ମହାପ୍ରଭୁ ନୀଳଚକ୍ର ରୂପରେ ବିରାଜମାନ। ସୁଦର୍ଶନଙ୍କ ଏହି ପ୍ରତୀକଙ୍କୁ ଆଜି ପ୍ରଥମ ଥର ପାଇଁ ଆଳତି କରାଯାଇଛି। ପବିତ୍ର ଭୌମ ଏକାଦଶୀ ତିଥିରେ ଶ୍ରୀ ନୀଳଚକ୍ର ଆରାଧନା ସେବା ସଂସ୍ଥାନ ପକ୍ଷରୁ ବେଶ୍‌ ଧୂମଧାମ୍‌ରେ ଏହି ଆଳତି କରାଯାଇଛି। ବାହାରୁ ଆସିଥିବା ୨ଶହ ସଂକୀର୍ତ୍ତନକାରୀ ଶ୍ରୀମନ୍ଦିର ଚାରିପଟ ପରିକ୍ରମା କରିବା ପରେ ଅପରାହ୍ନ ୪ଟାରେ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଆସିଥିଲା। ସିଂହଦ୍ଵାର ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଆଜ୍ଞାମାଳ ସ୍ଥାପନ ପରେ ବେଦପାଠ ହୋଇଥିଲା। ମହନ୍ତ ଗଙ୍ଗାଦାସଜୀ ଗଜପତି ମହାରାଜାଙ୍କ ଦିବ୍ୟ ସନ୍ଦେଶ ପାଠ କରିଥିଲେ।

ସୁବଳ ଦାସ ମହାରାଜ, ଡ. ରାମ ଚରଣ ଦାସଜୀ, ନାରାୟଣ ରାମାଦୁଜ ଦାସ ଜୀ, ମହନ୍ତ ରାମକୃଷ୍ଣ ଦାସଜୀ, ବଂଶୀଧର ଦାସ ଜୀ, କୃଷ୍ଣ ଗୋପାଳ ଦାସ ଜୀ, ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ(ନୀତି) ଡ. ପ୍ରଦୀପ କୁମାର ଦାଶ, ବିଶ୍ୱନାଥ ସାମନ୍ତରା, ଇଂ ବଳଦେବ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ପ୍ରମୁଖ ଏଥିରେ ଯୋଗଦେଇ ନୀଳଚକ୍ରଙ୍କୁ ଆଳତି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଲଳିତ ମୋହନ ମହାପାତ୍ର, ଡ. ଶ୍ରୀନିବାସ ଆଚାର୍ଯ୍ୟ, ବାବାଜୀ ସଚିଦାନନ୍ଦ ଦାସଜୀ, ଡ. ଉମେଶ ଚନ୍ଦ୍ର ଚିନ୍ନାରା ପ୍ରମୁଖ ପ୍ରବଚନ ଦେଇଥିବା ବେଳେ ବଦ୍ରି ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟା ଠିକ୍‌ ୬ଟା ବେଳେ ନୀଳଚକ୍ରଙ୍କ ୧୦୮ ଆଳତି କରାଯାଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦୋକାନୀଙ୍କୁ ସେହି ସମୟରେ ଆଳତି କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଫଳରେ ଶ୍ରୀମନ୍ଦିର ସମେତ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟହ ରାଧାବଲ୍ଲଭ ମଠ ପରିସରରେ କରାଯିବା ପାଇଁ ସ୍ଥିର ହୋଇଛି। ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ। ଶ୍ରୀମନ୍ଦିର ରକ୍ଷାକବଚ ଭାବରେ ପତିତପାବନ ବାନାକୁ ଧରି ରଖିଥିବା ନୀଳଚକ୍ର ମୁକ୍ତି ପ୍ରଦାୟକ। ଏକଦା ଗର୍ବଗଞ୍ଜନ ଶ୍ରୀଜଗନ୍ନାଥ ସୁଦର୍ଶନଙ୍କ ବିଷାଦ ଓ କ୍ଷମା ପ୍ରାର୍ଥନାକୁ ଅଙ୍ଗୀକାର କରି ତାଙ୍କୁ ଶ୍ରୀମନ୍ଦିର ଶିଖରରେ ନୀଳଚକ୍ର ରୂପରେ ଅବସ୍ଥାପିତ କରିଥିବା ଶାସ୍ତ୍ରରେ ରହିଛି। ଦୂରରୁ ନୀଳଚକ୍ରଙ୍କୁ ଭୋଗ ସମର୍ପଣ କରି ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରାପ୍ତ କରିବାର ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ପ୍ରାର୍ଥନା ତ୍ରିତାପ ନିବାରକ, ଭବଭୟ, ବ୍ୟାଧିନାଶକ ଓ ଚତୁବର୍ଗଫଳ ପ୍ରଦାୟକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ସେଥିପାଇଁ ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ସେବକ ସନ୍ଧ୍ୟାଧୂପ ପରେ ନୀଳଚକ୍ରଙ୍କ ସନ୍ନିକଟରେ ପ୍ରଦକ୍ଷିଣ ପୂର୍ବକ ମହାଦୀପ ପ୍ରଜ୍ୱଳନ କରି ବିଶ୍ୱ କଲ୍ୟାଣ ନିମନ୍ତେ ତୁଳସୀ ଓ ଚନ୍ଦନ ପ୍ରଲେପ କରିଥାନ୍ତି। ଏଣୁ ବିଶ୍ୱର କଲ୍ୟାଣ ପାଇଁ ପବିତ୍ର ଭୌମୀ ଏକାଦଶୀ ଠାରୁ ଏଭଳି ଆୟୋଜନ କରାଯାଇଥିବା ନେବଳ ଦାସ ମଠର ଡ. ରାମଚରଣ ଦାସ କହିଛନ୍ତି। ଆସନ୍ତାକାଲି ଠାରୁ ପ୍ରତ୍ୟହ ରାଧାବଲ୍ଲଭ ମଠ ପରିସରରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି।

ଆଜିର ଆଳତି କାର୍ଯ୍ୟକ୍ରମରେ କେବଳ ସାଧୁସନ୍ଥ ନୁହନ୍ତି, ବହୁସଂଖ୍ୟାରେ ସାଧାରଣ ଭକ୍ତ ବି ସାମିଲ ହୋଇଥିଲେ। ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଘୋଷଣା କରିଛି।

ସମ୍ବନ୍ଧିତ ଖବର