ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ପବିତ୍ର ମକର ସଂକ୍ରାନ୍ତିରେ ନୀଳଚକ୍ର ମାର୍ଜନା କରାଯାଇଛି। ଏହାସହ ଶ୍ରୀମନ୍ଦିର ଅଁଳାବେଢ଼ାରେ ନୂଆ ରଙ୍ଗ ଦିଆଯାଇଛି। ଚୁନରା ସେବକମାନେ ଅଁଳାବେଢ଼ାକୁ ଚଢ଼ି ନୂଆ ରଙ୍ଗ ଦେବା ସହ ରାମାନନ୍ଦୀ ତିଳକ ଲଗାଇଛନ୍ତି। ଅଁଳାବେଢ଼ା ପାଇଁ ଶ୍ରୀମନ୍ଦିର ସୁନା ଗୋସେଇଁ ସେବକଙ୍କ ପକ୍ଷରୁ ସ୍ବତନ୍ତ୍ର ଗେରୁ ଯୋଗାଇ ଦିଆଯାଇଥିଲା। ଗେରୁ ଚାରିହାଣ୍ଡି ବାଟପୋଇ(ହାତରେ ଆଙ୍କୁଠିରେ ଧରିବା ଭଳି ଛୋଟ କୁଡ଼ୁଆ) ସୁନା ଗୋସେଇଁ ସେବକଙ୍କ ଦ୍ବାରା ଯୋଗାଇ ଦିଆଯାଇଥିଲା।
ପରମ୍ପରା ଅନୁଯାୟୀ, ସୁନା ଗୋସେଇଁ ସେବକ ଯୋଗେନ୍ଦ୍ର ନାରାୟଣ ବ୍ରହ୍ମଚାରୀ, ରାଜେନ୍ଦ୍ର ନାରାୟଣ ବ୍ରହ୍ମଚାରୀ, ଦେବେନ୍ଦ୍ର ନାରାୟଣ ବ୍ରହ୍ମଚାରୀ, ସୌମେନ୍ଦ୍ର ନାରାୟଣ ବ୍ରହ୍ମଚାରୀ ଓ ଧର୍ମେନ୍ଦ୍ର ନାରାୟଣ ବ୍ରହ୍ମଚାରୀ ଶନିବାର ଦିନ ଉତ୍ତରଦ୍ବାର ଦେଇ ଗେରୁ ହାଣ୍ଡି ଶ୍ରୀମନ୍ଦିରକୁ ନେବା ପରେ ସତ୍ୟନାରାୟଣ ମନ୍ଦିରଠାରେ ରଖିଥିଲେ। ପରେ ଚୁନରା ସେବକମାନେ ଏହାକୁ ନେଇ ଅଁଳା ବେଢ଼ାରେ ଲଗାଇଥିଲେ। ଗେରୁରେ ଚୁନରା ସେବକମାନେ ଅଁଳା ବେଢ଼ାରେ ରାମନନ୍ଦୀ ଚିତା କାଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/srimandir-fff.jpg)