ନୀଳାଚଳ କର୍ତ୍ତୃପକ୍ଷଙ୍କ ମନମାନି : ଶ୍ରମ, କର୍ମଚାରୀଙ୍କ ପ୍ରାପ୍ୟରେ ଋଣ ପରିଶୋଧ

ଘରୋଇ ବ୍ୟାଙ୍କକୁ ୪୧ କୋଟି ଟଙ୍କା ଦେବା ମସୁଧା
ଠିକା କର୍ମଚାରୀ, ଶ୍ରମିକଙ୍କ ଆନ୍ଦୋଳନ ଡାକରା

ଯାଜପୁର : କଳିଙ୍ଗନଗର ଇସ୍ପାତ ରାଜଧାନୀର ଏକମାତ୍ର ରାଷ୍ଟାୟତ୍ତ ଉ‌ଦ୍ୟୋଗ ନୀଳାଚଳ କର୍ତ୍ତୃପକ୍ଷ ହଜାରହଜାର ଭୋକିଲା କର୍ମଚାରୀ ଓ ଶ୍ରମିକଙ୍କର ପ୍ରାପ୍ୟ ପ୍ରଦାନ ନକରି ଏକ ନିର୍ଦିଷ୍ଟ ଘରୋଇ ବ୍ୟାଙ୍କର ୪୧କୋଟି ଟଙ୍କା ଋଣ ପରିଶୋଧ କରିବାକୁ ମସୁଧା ଆରମ୍ଭ କରିଦେଇଛି। ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ଓ ଶ୍ରମିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଜାତୀୟକରଣ ବ୍ୟାଙ୍କ ସହିତ ଘରୋଇ ବ୍ୟାଙ୍କଗୁଡ଼ିକର କାରଖାନା ଉପରେ ୧ ହଜାର ୧୧୩ କୋଟି ୫୮ଲକ୍ଷ ଟଙ୍କା ଋଣ ଓ ମୋଟାମୋଟି ୧ହଜାର ୫୨୫କୋଟି ୫୮ଲକ୍ଷ ଟଙ୍କା ପରିଶୋଧ କରିବାକୁ ବାକି ରହିଛି। ଏସବିଆଇର ସର୍ବାଧିକ ୪୫୦ କୋଟି ଟଙ୍କା, ଅହ୍ଲାବାଦ ବ୍ୟାଙ୍କର ୨୨୦କୋଟି ଟଙ୍କା ଓ ୟୁବିଆଇ ୧୦୮କୋଟି ୫୮ଲକ୍ଷ ଟଙ୍କା ଋଣ ନୀଳାଚଳ ଉପରେ ରହିଛି। ସର୍ବାଧିକ ଋଣ ‌ଦେଇଥିବା ବ୍ୟାଙ୍କଗୁଡ଼ିକୁ କିମ୍ବା ସର୍ବନିମ୍ନ ଋଣ ଦେଇଥିବା ଓବିସିର ୧୫କୋଟି ଟଙ୍କା ପରିଶୋଧ କରିବାକୁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ନଦେଇ ଘରୋଇ ବ୍ୟାଙ୍କ ଇଣ୍ଡସଇଣ୍ଡର ଋଣ ୪୧କୋଟି ଟଙ୍କା ପରିଶୋଧ କରିବାକୁ ଲାଗିପଡ଼ିଛନ୍ତି। ସୂଚନାଯୋଗ୍ୟ କାରଖାନାରେ ଗଚ୍ଛିତ ଥିବା ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଏକ ସ୍ବତନ୍ତ୍ର ଆକାଉଣ୍ଟରେ ଜମା କରିବା ସହିତ ‌ଭୋକିଲା କର୍ମଚାରୀ ଓ ଶ୍ରମିକମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଲକ୍ଷ୍ୟ, କାହା ସ୍ବାର୍ଥରେ ଉଚ୍ଚ ଅଧିକାରୀଙ୍କ ନିଷ୍ପତ୍ତିକୁ ଅଣଦେଖା କରି ଘରୋଇ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ଉତ୍ପାଦିତ ସାମଗ୍ରୀ ବିକ୍ରିରୁ ମିଳୁଥିବା ଅର୍ଥ ପ୍ରଦାନ କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ନୀଳାଚଳର ୨୪୦୦ ଠିକା କର୍ମଚାରୀ ଓ ଶ୍ରମିକଙ୍କ ଏପ୍ରିଲ, ମେ ଓ ଜୁନ୍ ମାସର ବକେୟା ଦରମା ଦାବି କରି ଆଜି ଏକ ବୈଠକରେ ମିଳିତ ହୋଇ ଆସନ୍ତା ୩ ତାରିଖରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି ବୋଲି କଳିଙ୍ଗନଗର ମଜଦୁର ୟୁନିୟନ ଠିକାଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ କହିଛନ୍ତି। ଏହି ହଜାର ହଜାର ସ୍ବଳ୍ପ ବେତନଭୋଗୀ ଠିକା କର୍ମଚାରୀ ଓ ଶ୍ରମିକଙ୍କର ୩ ମାସର ଦରମା ପ୍ରାୟ ୯କୋଟି ଟଙ୍କା କାରଖାନା କର୍ତ୍ତୃପକ୍ଷ ନଦେଇ ବ୍ୟାଙ୍କ ଋଣ ପରଶୋଧ କରିବାକୁ ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି। କାରଖାନା କର୍ତ୍ତୃପକ୍ଷଙ୍କର ମନମାନି ବିରୋଧରେ ଭୋକିଲା କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ତୀବ୍ର ରୂପ ଧାରଣ କରି ଆନ୍ଦୋଳନ ଦାନା ବାନ୍ଧୁଛି।

ପ୍ରକାଶଥାଉକି, ଗତ ଫେବ୍ରୁଆରି ମାସରୁ କାରଖାନା ବନ୍ଦ ରହିଥିବାବେଳେ ଗତ ଏପ୍ରିଲ ପର୍ଯ୍ୟନ୍ତ କେବଳ ସ୍ଥାୟୀ କର୍ମଚାରୀଙ୍କୁ ଦରମା ମିଳିଛି। ଠିକା କର୍ମଚାରୀ ଓ ଶ୍ରମିକଙ୍କୁ କେବଳ ଫେବ୍ରୁଆରି ଓ ମାର୍ଚ୍ଚର ପ୍ରାପ୍ୟ ମିଳିଛି। ଅଥଚ କାରଖାନା କର୍ତ୍ତୃପକ୍ଷ ଗଚ୍ଛିତ ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର