ନୀଳାଚଳ ଆକାଉଣ୍ଟରେ ୮କୋଟି ଟଙ୍କା ଥିବା ସତ୍ତ୍ବେ ‌ଦେଢ଼ହଜାର କର୍ମଚାରୀ ଭୋକିଲା

୮୦କୋଟି ଟଙ୍କାର ସାମଗ୍ରୀ ବିକ୍ରି : ୪୨କୋଟି ଟଙ୍କା ଗଲା କୁଆଡ଼େ?
ଏମ୍‌ଡି ନେଉଛନ୍ତି ଦରମା, କର୍ମଚାରୀଙ୍କ ବେଳକୁ ପୁଲିସର ନାଲିଆଖି

ଯାଜପୁର : କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ କାରଖାନାରେ ଦେଢ଼ବର୍ଷ ହେଲା ତାଲା ପଡ଼ିଛି। ଦେଢହଜାର କର୍ମଚାରୀ ୨୦୨୦ ସେପ୍ଟେମ୍ବର ଠାରୁ ଦରମା ପାଇନାହାନ୍ତି। ବନ୍ଦ ନୀଳାଚଳ କାରଖାନାର ସ୍ଲାଗ୍, କୋକ୍, କୋକ୍ ବ୍ରିଜ୍, ନଟ୍ କୋକ୍, କୋଲଟାର୍ ପ୍ରଭୃତି ବିକ୍ରିରୁ ୮୦ କୋଟି ଟଙ୍କା ଆୟ କରାଯାଇଛି। ଏହି ଅର୍ଥରୁ କର୍ମଚାରୀମାନଙ୍କ ୫ମାସର ଦରମା ବାବଦକୁ ମୋଟ ପ୍ରାୟ ୩୮କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଅବଶିଷ୍ଟ ୪୨କୋଟି ଟଙ୍କା କୁଆଡ଼େ ଗଲା ବୋଲି ପଶ୍ନ ଉଠୁଛି। ଏପରିକି ଏହି ଅର୍ଥରୁ ୮କୋଟି ଟଙ୍କା ନୀଳାଚଳ ଆକାଉଣ୍ଟରେ ଜମା ରହିଥିବା ସତ୍ତ୍ବେ କର୍ମଚାରୀଙ୍କୁ ୨୦୨୦ ସେପ୍ଟେମ୍ବର ମାସରୁ ଦରମା ଦିଆଯାଇନି। ଅପରପକ୍ଷରେ ପୂର୍ବରୁ ଇଡି (ୱାର୍କସ୍ ) ଥିବା ରବୀନ୍ଦ୍ର କୁମାର ଝା ଗତ ଡିସେମ୍ବରରୁ ଏମ୍‌ଡି ପଦବିରେ ରହି ବକେୟା ଅର୍ଥ ହା‌ତେଇ ନେଉଛନ୍ତି। ଶ୍ରୀ ଝା ଇଡି(ୱାର୍କସ୍) ବାବଦରେ ଗତ ୨୦୨୦ଅଗଷ୍ଟ ପର୍ଯ୍ୟନ୍ତ ଦରମା ନେଇଥିବା ବେଳେ ଗତ ଡିସେମ୍ବରରୁ ଏମ୍‌ଡି ହେବା ପରଠାରୁ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ଦରମା ପାଇଲେଣି। ଭୋକିଲା କର୍ମଚାରୀମାନେ ବର୍ଷେ ହେଲାଣି ଦରମା ପାଇନଥିବାର ଅଭିଯୋଗ କରିଛନ୍ତି। ଭୋକ ଉପବାସରେ ଦିନ କାଟୁଥିବା କର୍ମଚାରୀ ସେମାନଙ୍କ ପରିବାର ଲୋକଙ୍କ ଦୁର୍ଦଶା ପାଇଁ ଆନ୍ଦୋଳନ ପାଇଁ ଚେତାବନୀ ଦେଉଥିବା ବେଳେ ପୁଲିସ କେସ୍ ଓ ଗିରଫ କରିବାକୁ ନାଲିଆଖି ଦେଖାଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ପ୍ରକାଶ ଥାଉକି କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପାୟନ ଓ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ନୂଆ ଘରୋଇ କମ୍ପାନି ସହିତ ବୁଝାମଣା କରୁଛନ୍ତି। ଏପରିକି ଶହ ଶହ କୋଟି ଟଙ୍କାର ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି। ଅଥଚ ଏକାଧିକ ସରକାରୀ ବିଭାଗର ଅଂଶଧନରେ ଚାଲିଥିବା ନୀଳଚଳକୁ ଦେବାଳିଆ କରିଥିବା କେନ୍ଦ୍ର ସରକାରଙ୍କର ବାଣିଜ୍ୟ ବିଭାଗର ଏମ୍‌ଏମ୍‌ଟିସି, ଏନ୍ଏ‌ମ୍‌ଡିସି ଏବେ ନୀଳାଚଳ ନାମରେ ଖଣି ଖୋଳିବାକୁ ଆରମ୍ଭ କରିଛି। କାରଖାନା ତ ବନ୍ଦ , କ୍ୟାପଟିଭ୍ ମାଇନ୍ସ ‌ଖନନ କାହା ସ୍ବାର୍ଥରେ? ଏପଟେ କାରଖାନାର ବିଦ୍ୟୁତ ବିଲ୍ ପଇଠ ହୋଇନଥିବାରୁ ୫ଦିନ ହେଲା କାରଖାନା ଅନ୍ଧାରରେ ରହିଛି। କୋଟି କୋଟି ଟଙ୍କାର ସାମଗ୍ରୀ ଚୋରି ହେବାରେ ଲାଗିଛି। ସୁରକ୍ଷା କର୍ମୀ ଅସହାୟ ମନେ କରୁଛନ୍ତି। ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ଲୋଗାନ ଦେଉଥିବା କେତେକ ଅସାଧୁମେଣ୍ଟ ଯୋଜନାବଦ୍ଧ ଭାବେ ରାଜ୍ୟର ଖଣି ସମ୍ପଦ ଲୁଟ କରିବା ପାଇଁ ନୀଳଚଳକୁ ବନ୍ଦ କରି ଏବେ ଖଣିକୁ କମ୍ପାନି ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର