ନୀଳାଚଳ କାରଖାନାର ମାନବ ସମ୍ବଳ ଅଧିକାରୀଙ୍କ ଦେହାନ୍ତ, ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟ ସ୍ଥଗିତ

ଖଣି ଓ ଶିଳ୍ପାଞ୍ଚଳରେ କରୋନା ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲାର ଖାଣିଖାଦାନ, ଶିଳ୍ପାନୁଷ୍ଠାନକୁ ରାଜ୍ୟ ଏବଂ ରାଜ୍ୟ ବାହାର ଲୋକଙ୍କ ଯାତାୟାତ ଲାଗିରହିଛି। ଫଳରେ କରୋନାର ଦ୍ବିତୀୟ ଲହରରେ ଯାଜପୁର ଜିଲ୍ଲା ରେଡଜୋନ୍‌ରେ ରହିଛି। ଗତ ଏପ୍ରିଲରୁ ଆଜି ଭିତରେ ୫୬୪୪ ଜଣ କରୋନା ଆକ୍ରାନ୍ତ ହେଲେଣି। ଗତ ବର୍ଷ କରୋନାର ପ୍ରଥମ ଲହରରେ ସୁକିନ୍ଦା ଅଞ୍ଚଳରେ ଶେଷ ପର୍ଯ୍ୟାୟରେ କରୋନା ସଂକ୍ରମଣ ଦେଖା ଦେଇଥିଲା। ମାତ୍ର ଚଳିତ ବର୍ଷ ଦ୍ବିତୀୟ ଲହରରେ ସୁକିନ୍ଦା ଅଞ୍ଚଳ ଜିଲ୍ଲାର ଅନ୍ୟ ଅଞ୍ଚଳ ଠାରୁ ଢେର ଆଗରେ ରହିଛି। ଖଣି ଅଞ୍ଚଳ ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି। କେତେକ ଅଧିକାରୀଙ୍କ ଉଦାସୀନତାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୀଳାଚଳ କାରଖାନାର ମାନବ ସମ୍ବଳ ଡିଜିଏମ ସନ୍ତୋଷ କୁମାର ମଲ୍ଲିକଙ୍କର ସୋମବାର ଦିନ ଦେହାନ୍ତ ହୋଇଯାଇଛି। କରୋନାରେ ଅକ୍ସିଜେନର ଘୋର ଅଭାବକୁ ପୂରଣ ପାଇଁ ବନ୍ଦ ନୀଳାଚଳ କାରଖାନାର ଅକ୍ସିଜେନ ୟୁନିଟ୍‌କୁ ଚାଲୁ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏହା ମଧ୍ୟରେ ୧୦ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇପଡ଼ିବା ଫଳରେ ଅକ୍ସିଜେନ୍ ପ୍ଲାଣ୍ଟ କାମ ମଧ୍ୟ ବନ୍ଦ ହୋଇଯାଇଛି। ବିଶେଷ କରି ନୀଳାଚଳ କର୍ତ୍ତୃପକ୍ଷ ସାନିଟାଇଜେସନ୍ ପ୍ରତି ଗୁରୁତ୍ବ ଦେଉନଥିବାରୁ ନୀଳାଚଳ କଲୋନି ଓ କାର୍ଯ୍ୟାଳୟରେ କରୋନା ବ୍ୟାପକ ରୂପ ଧାରଣ କରିଛି ବୋଲି କର୍ମଚାରୀ ସଂଘ ଆଜି କ୍ଷୋଭ ପ୍ରକାଶ କରିବା ସହ ଟୁଇଟ୍ କରି ସରକାର ଓ ଉଚ୍ଚ କର୍ମକର୍ତ୍ତାଙ୍କୁ ଅବଗତ କରିଛନ୍ତି। କାରଖାନା କର୍ତ୍ତୃପକ୍ଷ ଉତ୍ପାଦନରେ ବାଧା ଉପୁଜିବା ଆଶଙ୍କାରେ କର୍ମଚାରୀ ଓ ଶ୍ରମିକମାନଙ୍କ ‌କୋଭିଡ୍ ‌ପରୀକ୍ଷା କରୁନାହାନ୍ତି। ଫଳରେ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଛି।

ସେହିପରି କାଳିଆପାଣି କ୍ରୋମ ଉପତ୍ୟକା ଅଞ୍ଚଳରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟାଟା ଓ ଫେକରକୁ ବାଦ ଦେଲେ ଅନ୍ୟ କେହି କୋଭିଡ୍‌ ପରୀକ୍ଷା କରାଉନାହାନ୍ତି। ଏପରିକି ଓଏମସି ଖଣି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ସେମାନଙ୍କ କର୍ମଚାରୀ, ସୁରକ୍ଷା କର୍ମୀଙ୍କର ପରୀକ୍ଷା କରିନାହାନ୍ତି। ଅଥଚ ଖଣି ଅଞ୍ଚଳକୁ ରାଜ୍ୟ ଓ ଅନ୍ୟ ରାଜ୍ୟର ଲୋକ ନିୟମିତ ଯାତାୟାତ କରୁଛନ୍ତି। ସରକାରୀ ତଥ୍ୟ ମୁତାବକ କରୋନା ପ୍ରଥମ ଲହରରେ ଜିଲ୍ଲାର ୨୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ ରୂପ ଧାରଣ କରିିଥିବା ଦ୍ବିତୀୟ ଲହରରେ ସରକାରୀ ହିସାବରେ ମାତ୍ର ୨ଜଣଙ୍କର ମୃତ୍ୟୁ ହୋଇଛି। ଅଥଚ ବେସରକାରୀ ଭାବେ ପ୍ରଥମ ଲହର ମୃତ୍ୟୁ ଠାରୁ ଦ୍ବତୀୟ ଲହର ମୃତ୍ୟୁସଂଖ୍ୟା ଅଧିକ ବୋଲି କୁହାଯାଉଛି।

ଖଣିଖାଦାନ, ଶିଳ୍ପାଞ୍ଚଳ ଓ ବ୍ୟବସାୟ ପେଣ୍ଠସ୍ଥଳ ବ୍ୟାସନଗରରେ ମଧ୍ୟ କରୋନା ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି। ଲୋକମାନେ ଆତଙ୍କିତ ହୋଇ ‌ଟିକା ନେବାକୁ କେନ୍ଦ୍ର ଗୁଡ଼ିକରେ ଭିଡ଼ ଜମାଉଛନ୍ତି। କରୋନା ନିୟନ୍ତ୍ରଣ କରିବା ପାଇଁ ଖୋଲାଯାଇଥିବା ଟିକାକେନ୍ଦ୍ର ସୁପର ସ୍ପ୍ରେଡର ହେବାର ଆଶଙ୍କା କରାଯାଉଛି। ଜିଲ୍ଲାରେ କରୋନା ଚିକିତ୍ସା ପାଇଁ କଳିଙ୍ଗନଗର ଠାରେ କୋଭିଡ ଡାକ୍ତରଖାନା ରହିଛି। ଯେଉଁଠି ରୋଗୀମାନଙ୍କ ପାଇଁ ୧୧୫ ବେଡ ସହିତ ଅକ୍ସିଜେନ ବ୍ୟବସ୍ଥା ରହିଛି। ସେହିପରି ୧୫ ଆଇସିୟୁ ଏବଂ ୮ଟି ଭେଣ୍ଟିଲେଟର ସୁବିଧା ରହିଛି । ଯାଜପୁର ଟାଉନ ଏନସି କଲେଜରେ ଏକ ଆଇସୋଲେସନ ସେଣ୍ଟର ମଧ୍ୟ କରାଯାଇଛି। ଜିଲ୍ଲାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବୃଦ୍ଧିକୁ ନଜର ରଖି କଳିଙ୍ଗନଗରରେ ଥିବା କୋଭିଡ ହସ୍ପିଟାଲରେ ୩୪୧ ଟି ବେଡ ବଢ଼ାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର