ଅନ୍ଧାରରେ ବୁଡ଼ିଛି ନୀଳାଚଳ, ଜାଣିଶୁଣି ୫୬.୭୦ କୋଟିର ବିଦ୍ୟୁତ୍‌ ବାକି

ଯାଜପୁର/ଦାନଗଦୀ : ପରିଚାଳନାଗତ ତ୍ରୁଟି ପାଇଁ ନୀଳାଚଳ ଇସ୍ପାତ କାରଖାନାର କ୍ଷତି ହୋଇଛି। ଏବେ ଆଉ ଏକ ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ମାସ ମାସ ଧରି ବିଦ୍ୟୁତ୍‌ ବିଲ୍‌ ମଧ୍ୟ କଂପାନି କର୍ତ୍ତୃପକ୍ଷ ବାକି ରଖିଛନ୍ତି। ପ୍ରାୟ ୫୬କୋଟି ୭୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଥିବାରୁ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା ଟାଟା ପାୱାର ନୀଳାଚଳର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ଗତକାଲି ଅପରାହ୍ଣ ୫ଟାରୁ ନୀଳାଚଳ କାରଖାନା, ମାର୍ଥାପୁରଠାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଓ ଡୁବୁରିଠାରେ ଥିବା ନୀଳାଚଳ ଟାଉନ୍‌ସିପ୍‌ କଲୋନିର ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିଲା। ତେବେ ଗତକାଲି ରାତିରେ କଲୋନିକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ କାରଖାନା ପ୍ରାୟ ଦେଢ଼ ବ‌ର୍ଷେ ହେଲା ବନ୍ଦ ରହିଛି। କାରଖାନା ପରିସରରେ ଗଚ୍ଛିତ ଥିବା ସାମଗ୍ରୀ ଓ ସ୍କ୍ରାପ୍‌ ବିକ୍ରି କରି କର୍ମଚାରୀଙ୍କୁ ଦରମା ଦେବା ବଦଳରେ ଘରୋଇ ବ୍ୟାଙ୍କର ଋଣ ପରିଶୋଧକୁ ଅଗ୍ରାଧିକାର ଦିଆଯାଉଛି। ଏପଟେ ଜାଣିଶୁଣି ବିଦ୍ୟୁତ୍‌ ବିଲ୍‌ ବକେୟା ରଖାଯାଇଛି। ଏହି କାରଣରୁ ଟାଟା ପାୱାର ପକ୍ଷରୁ କଂପାନି କର୍ତ୍ତୃପକ୍ଷଙ୍କୁ ବିଲ୍‌ ପଇଠ ପାଇଁ ତାଗିଦ କରାଯାଇଥିଲା। ହେଲେ ନୀଳାଚଳ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଲେନି। ବିଦ୍ୟୁତ୍‌ ବିଚ୍ଛିନ୍ନ ହେଲେ କର୍ମଚାରୀ କଲୋନି ଏବଂ କାରଖାନାରେ କଭଳି ଅବସ୍ଥା ସୃଷ୍ଟି ହେବ ସେ ନେଇ ଚିନ୍ତା କଲେନି। ଆଉ ଏବେ ବିଦ୍ୟୁତ୍‌ ବିଚ୍ଛିନ୍ନ ହେବାପରେ ନୀଳାଚଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ଅନ୍ୟପକ୍ଷରେ, ତେବେ ଦୁଇଓଳି ଖାଦ୍ୟ ଯୋଗାଡ଼ ପାଇଁ ଚିନ୍ତାରେ ଥିବା କର୍ମଚାରୀ ନିଜର ଅସନ୍ତୋଷ ଜାହିର୍‌ କରିବା ପାଇଁ ଆଗକୁ ମଧ୍ୟ ଆସିପାରୁ ନାହାନ୍ତି। ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ ? ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ନୀଳାଚଳ ମାମଲାରେ ହସ୍ତକ୍ଷେପ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରରେ ଚାପ ସୃଷ୍ଟି କରନ୍ତୁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର