ଯାଜପୁର : ଇସ୍ପାତ ରାଜଧାନୀ କଳିଙ୍ଗନଗରସ୍ଥିତ ଶିଳ୍ପାନୁଷ୍ଠାନଗୁଡିକର ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଘରୋଇ ଇସ୍ପାତ କାରଖାନା ବନ୍ଦ ହେବାରେ ଲାଗିଥିବାବେଳେ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନା ସ୍ଥିତି ମଧ୍ୟ ସଙ୍ଗିନ। ନୀଳାଚଳ କାରଖାନାକୁ ଋଣଯନ୍ତା ଭିତରକୁ ଏମ୍ଏମ୍ଟିସି ଠେଲି ଦେଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଘରେଇ ସଂସ୍ଥାକୁ ବିକ୍ରି ପାଇଁ ଘୋଷଣା କରିଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କାରଖାନାର କେବଳ ପାୱାର ପ୍ଲାଣ୍ଟ ଓ କୋକେଭେନ୍ ଚାଲୁଥିଲା। କୋଇଲା ଅଭାବରୁ ଆଉ ୨ଦିନ ପରେ ତାହା ମଧ୍ୟ ବନ୍ଦ ହେବାକୁ ଯାଉଛି। ଫଳରେ, ନୀଳାଚଳ କାରଖାନାରେ ତାଲା ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ହସ୍ତଗତ ତଥ୍ୟ ଅନୁସାରେ, ୨୦୦୪-୦୫ ମସିହାରୁ ଆଜି ପର୍ଯ୍ୟନ୍ତ ନୀଳାଚଳ ୨୧ହଜାର କୋଟି ଟଙ୍କା କ୍ଷତି କରିଛି। ସେଥିମଧ୍ୟରୁ ଏମ୍ଏମ୍ଟିସି ସାମଗ୍ରୀ କ୍ରୟବିକ୍ରୟ ଉପରେ ୩ ଶତକଡ଼ା ରାଜସ୍ବ ବାବଦରେ ୯ ଶହ କୋଟି ଟଙ୍କା ହାତେଇଥିବା ବେଳେ ସୁଧ ଟଙ୍କା ବାବଦକୁ ୮ଶହ କୋଟି ଟଙ୍କା ଏହିପରି ମୋଟ ୧୭ଶହ କୋଟି ଟଙ୍କା ନେଇଛି। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଏମ୍ଏମ୍ଟିସିର ମନମାନିକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। କିଛି ବୁଦ୍ଧିଜୀବୀ ଓ ଅର୍ଥନୈତିକ ବିଶାରଦ ଅଭିଯୋଗ କରିଛନ୍ତି ଯେ, ଏମଏମଟିସି ଏବେ ବି ଉତ୍ପାଦନ ସାମଗ୍ରୀ ବିକ୍ରି କରି ରାଜସ୍ବ ନେଇ ଚାଲିଛି। ମାତ୍ର, କୋଇଲା ଯୋଗାଉନାହିଁ। ଦୀର୍ଘଦିନ ହେଲା କାରଖାନାର ବନ୍ଦ ହୋଇଥିବା ସେଣ୍ଟର ପ୍ଲାଣ୍ଟ, ଆରଏମଏଚପି, ବ୍ଲାଷ୍ଟ ଫର୍ନେସ, ଏସଏମଏସ, ରୋଲିଂ ପ୍ଲାଣ୍ଟ ପ୍ରଭୃତି ଗତ ବର୍ଷ ୨୦୧୯ଜୁଲାଇରୁ ବନ୍ଦ ରହିଥିବା ସତ୍ତ୍ବେ କୋକେଭେନ୍ ଓ ପାୱାର ପ୍ଲାଣ୍ଟ ଚାଲୁଥିଲା। ଅଥଚ କୋଇଲା ଯୋଗାଉ ନଥିବାରୁ କୋକେଭେନ୍ ବନ୍ଦ ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/NINL_1.jpg)