ନୀଳାଚଳ ବିକ୍ରି ଆଉ ପାଦେ ଆଗେଇଲା, ବିକ୍ରି ମୂଲ୍ୟ ୮୨୦୦ କୋଟି ଟଙ୍କା ଧାର୍ଯ୍ୟ

ଯାଜପୁର : କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ବିକ୍ରି ଆଉ ପାଦେ ଆଗେଇଛି। ଏଥିପାଇଁ ୮୨୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ‌ଅନ୍ୟପକ୍ଷରେ, କାରଖାନାର ପରିଚାଳନାଗତ ତ୍ରୁଟି ଓ ଏମ୍‌ଏମ୍‌ଟିସିର ଶୋଷଣ ଯୋଗୁଁ ଋଣଯନ୍ତାରେ ପଡ଼ି ତାଲାପଡ଼ିଲା। ୮ମାସ ହେଲା ୪ ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଭୋକ ଉପବାସରେ ଶଢ଼ୁଛନ୍ତି। ଏତିକି ବେଳେ ଋଣ ଦେଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ସଂସ୍ଥା ଏମ୍‌ଏମ୍‌ଟିସିର କେତେକ ଅସାଧୁ ଅଧିକାରୀ ସେମାନଙ୍କ ହୀନଉଦ୍ଦେଶ୍ୟ ହାସଲ ପାଇଁ ଲାଗିପଡ଼ିଛନ୍ତି। ଏବେ ବିକ୍ରି ମୂଲ୍ୟ ନିର୍ଦ୍ଧାରଣ ପରେ କାହା ହାତକୁ ଏବଂ ଚୂଡ଼ାନ୍ତ ଭାବେ କେତେ ଅର୍ଥରେ ବିକ୍ରି ହେବ, ତାହା ଏବେ ଦେଖିବାର ବାକି ରହିଲା।

ଏସିଆ ମହାଦେଶର ଇସ୍ପାତ ରାଜଧାନୀର ଏକ ମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ତାଲା ଝୁଲିବା ସହିତ ଗତ ଫେବ୍ରୁଆରି ମାସରୁ ୮ମାସ ହେଲା ୪ ହଜାର ସ୍ଥାୟୀ ଓ ଅସ୍ଥାୟୀ କମଚାରୀ ଦରମା ନପାଇବା ଫ‌ଳରେ ସେମାନଙ୍କର ପରିବାର ପିଲାଛୁଆ ଭୋକଉପାସରେ ଦିନ କାଟୁଛନ୍ତି। ଇତିମଧ୍ୟରେ ଆର୍ଥିକ ଅନଟନର ଶିକାର ହୋଇ ୫ ଜଣ କର୍ମଚାରୀ ଚିକିତ୍ସା, ଭୋକ ଉପାସ ଓ ପରିବାର ବୋଝରେ ଅକାଳରେ ଜୀବନ ହାରିଲେଣି। ଘରେ ବସିଥିବା କର୍ମଚାରୀଙ୍କର ହଜାର ହଜାର ପରିବାର ଲୋକଙ୍କ ଏହି ଦୁର୍ଦ୍ଦିନରେ ସେମାନଙ୍କୁ ସହାୟତା କରିବା ପରିବର୍ତ୍ତେ କାରଖାନାର ମୁଖ୍ୟ ଅଂଶୀଦାର ଏମ୍‌ଏମ୍‌ଟିସିର କେତେକ ଅସାଧୁ ଅଧିକାରୀ ଓ ନୀଳାଚଳର ଜଣେ ଉଚ୍ଚ ପଦାଧିକାରୀ କୂଟ ଚକ୍ରାନ୍ତ ଚଳାଇଛନ୍ତି। ଭୋକିଲା ହଜାର ହଜାର କର୍ମଚାରୀ ସେମାନଙ୍କର ରକ୍ତକୁ ପାଣି କରି ଉତ୍ପାଦନ କରିଥିବା ୨ଶହ କୋଟି ଟଙ୍କାର ଉତ୍ପାଦିତ ସାମଗ୍ରୀ କାରଖାନାର ପରିସରରେ ପଡ଼ିଥିବା ବେଳେ ସେଲ୍‌କୁ ବିକ୍ରି କରାଇ ଦେଉନାହାନ୍ତି। ଏହି ସାମଗ୍ରୀକୁ ଘରୋଇ କମ୍ପାନିକୁ ବିକ୍ରି କରି ବେଶ ମୁନାଫା କରିବା ପାଇଁ ଏହି ଅସାଧୁ ମେଣ୍ଟ ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ବନ୍ଦ ହୋଇଯାଇଥିବା ନୀଳାଚଳ କାରଖାନାର ଗତ ମାର୍ଚ୍ଚ ସୁଦ୍ଧା ମୋଟ ୫ ହଜାର ୯୧୨କୋଟି ୧୨ଲକ୍ଷ ଋଣ ରହିଛି। ସେଥିରେ ଏମ୍‌ଏମ୍‌ଟିସିର ଅଂଶଧନ ୩୨ଶହ କୋଟି ଟଙ୍କା ପାଇବାର ଅଛି। କାରଖାନାର କ୍ଷତି ସତ୍ତ୍ବେ ବିଭିନ୍ନ ସାମଗ୍ରୀ କ୍ରୟ ଓ ବିକ୍ରି ଉପରେ ୩ ପ୍ରତିଶତ କମିଶନ ନେଇଥିବା ଏମ୍‌ଏମ୍‌ଟିସି ପ୍ରାୟ ୧୪ଶହ କୋଟି ଟଙ୍କା ଲାଭ ନେଇସାରିଛି। ଅନ୍ୟପଟେ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ମେକନ୍ ଦ୍ବାରା ଏହି ବନ୍ଦ କାରଖାନାର ବିକ୍ରି ମୂଲ୍ୟ ୮ ହଜାର ୨କୋଟି ଟଙ୍କା ମୂଲ୍ୟାୟନ କରାଯାଇଛି। ଋଣ ପରିଶୋଧ ପରେ ମଧ୍ୟ ୨୮୮କୋଟି ଟଙ୍କା ବଳକା ରହୁଛି। କାରଖାନାରେ ଅନ୍ୟାନ୍ୟ ଅଂଶୀଦାରମାନେ ନିରବ ରହିଥିବାବେଳେ ବର୍ଷ ବ‌ର୍ଷ ଧରି କୋଟି କୋଟି ଟଙ୍କା ଲାଭ ନେଇଥିବା ଏମ୍‌ଏମ୍‌ଟିସି କାରଖାନା ବିକ୍ରି ପର୍ଯ୍ୟନ୍ତ ଅପେକ୍ଷା ନକରି ଗଚ୍ଛିତଥିବା ୨ଶହ କୋଟି ଟଙ୍କାର ସାମଗ୍ରୀ ଶାଗମାଛ ଦରରେ ବିକ୍ରି କରିବାକୁ ତରବର କାହିଁକି? ଏଭଳି ଘୋଟାଲାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ କିପରି ନିରବ ସମର୍ଥନ ଦେଉଛନ୍ତି ବୋଲି ଶ୍ରମିକ ସଙ୍ଗଠନ ଓ କର୍ମଚାରୀ ପ୍ରଶ୍ନ କରିଛନ୍ତି। ଏପରିକି ଏହାକୁ ନେଇ ଦିନକୁ ଦିନ ହଜାର ହଜାର ବେକାରୀ ଭୋକିଲା କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିଗିଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର