ଭୁବନେଶ୍ବର : ରାଜ୍ୟ ସରକାର ଓପିଜିସିକୁ ଶତ ପ୍ରତିଶତ ଅଧୀନରେ ରଖିବା ପାଇଁ ଯେପରି ନିଷ୍ପତ୍ତି ନେଇଛନ୍ତି ସେହିପରି ନୀଳାଚଳ ଇସ୍ପାତ ନିଗମ ଓ ବଡ଼ବିଲ୍ ଆଇରନ୍ ଓ୍ବାର୍କ୍ସ୍କୁ ନିଜ ନିୟନ୍ତ୍ରଣଙ୍କୁ ଆଣନ୍ତୁ। ଆଜି ଏ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହିତ ଶ୍ରୀ ପଟ୍ଟନାୟକ ସରକାରଙ୍କୁ କେତୋଟି ପରାମର୍ଶ ଦେଇଛନ୍ତି। ଏକ ପ୍ରେସ୍ ବିବୃତି ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଦୀର୍ଘ ୨୦ ବର୍ଷ ଭିତରେ ଓପିଜିସିର ଶତ ପ୍ରତିଶତ ଅଂଶଧନ ସରକାର କିଣିବା ନିଷ୍ପତ୍ତି ନେଇ ଗୋଟିଏ ଭଲ କାର୍ଯ୍ୟ କରିଛନ୍ତି। ନୀଳାଚଳ ଇସ୍ପାତ ନିଗମ ଓ ବଡ଼ବିଲ୍ ଆଇରନ୍ ଓ୍ବାର୍କ୍ସ୍କୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇଟିଯାକ କାରଖାନାର ଦୂରାବସ୍ଥା ଯୋଗୁ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ହୋଇଛି। କାରଖାନା ପାଇଁ କଞ୍ଚାମାଲ୍ ଯୋଗାଇବାକୁ ଓଡ଼ିଶା ଖଣି ନିଗମ (ଓଏମ୍ସି) ପାଖରେ ଯଥେଷ୍ଟ ଖଣି ଅଛି। ଏହାସହିତ ନୀଳାଚଳ ପାଖରେ ଦୈତାରୀ ଖଣି ରହିଛି। ଓଏମ୍ସି ହେଉ ବା ଅନ୍ୟ କେହି ଲାଭଜନକ ସଂସ୍ଥା ସେମାନଙ୍କ ସହ ସାମିଲ ହୋଇ ଏହି ଦୁଇଟି କମ୍ପାନିକୁ ସରକାର ନିଜ ଆୟତରେ ରଖନ୍ତୁ। ତାହା ନ ହୋଇ ଯଦି ଏହି କାରଖାନା ଦୁଇଟି ଅନ୍ୟ କାହାକୁ ହସ୍ତାନ୍ତର କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଥାନ୍ତି ତାହେଲେ ଏହା ଓଡ଼ିଶା ବିରୋଧୀ ଓ ରାଜ୍ୟବାସୀଙ୍କ ପାଇଁ ଶକ୍ତ ଧୋକା ଦେବାଭଳି ହେବ। ରାଜ୍ୟରେ ଲୁହା ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।
ପିସିସି ସଭାପତି ସରକାରଙ୍କୁ ଆହୁରି ପରାମର୍ଶ ଦେଇ କହିଛନ୍ତି, ଏ ପର୍ଯ୍ୟନ୍ତ ଭଲ ଲୁହା ଖଣି ନିଲାମ ହୋଇନାହିଁ। ଭଲ ଲୁହା ଓ ମାଙ୍ଗାନିଜ୍ ଖଣିଗୁଡ଼ିକୁ ଓଏମ୍ସି ଅଧୀନରେ ରଖିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ରାଜ୍ୟର ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଜରୁରୀ। ଲୁହା, ମାଙ୍ଗାନିଜ୍, ବକ୍ସାଇଟ୍ ଓ କ୍ରୋମାଇଟ୍ ଦ୍ବାରା ହିଁ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ତେଣୁ ତାକୁ ଓଡ଼ିଶା ସରକାର ହାତଛଡ଼ା କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।