ଭୁବନେଶ୍ୱର : ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କଂପାନିକୁ ବିକ୍ରି କରିବା ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। କେବଳ ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ କିଭଳି ମଧୁଚନ୍ଦ୍ରିକା ଚାଲିଛି ସେ ନେଇ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କଡ଼ା ସମାଲୋଚନା କରିଛନ୍ତି।
ଶ୍ରୀ କାନୁନ୍ଗୋ ଅଭିଯୋଗ କରିଛନ୍ତି ଯେ ବିଜେଡି-ବିଜେପି ପରସ୍ପର ଭିତରେ ଏଠି କଳି ଚାଲିଥିବା ନେଇ ନାଟକ କରୁଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ବରରେ ପରସ୍ପର ବିରୋଧରେ ଲଢୁଛନ୍ତି। କିନ୍ତୁ ରାଜ୍ୟର ଖଣି, ଜମି, ପାଣି, କଳକାରଖାନା ବିକ୍ରି ପାଇଁ ଦୁହେଁ ଏକାଠି ହୋଇଯାଉଛନ୍ତି। ବିଜେଡି-ବିଜେପି ପାଖରେ କେଉଁ ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିଛି ତାହା ବୁଝାପଡୁନାହିଁ। ସଂପ୍ରତି ନୀଳାଚଳ ଇସ୍ପାତ କାରଖାନା ସଂପର୍କୀୟ ଚୁକ୍ତିପତ୍ର ଅନେକ କିଛି ବୟାନ କରୁଛି। କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଉଭୟ ଏହି ପ୍ରକଳ୍ପକୁ ବିକ୍ରି କରିଦେବା ଲାଗି କିଭଳି ବିକଳ ହୋଇପଡିଛନ୍ତି ତାହା ଅଫିସ୍ ମେମୋରାଣ୍ଡମ୍ରୁ ଜଣାପଡୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ, ହରଦୀପ ସିଂ ପୁରୀ, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଏହି ପ୍ରକଳ୍ପର ଅଂଶଧନ ବିକ୍ରି ପାଇଁ ସମ୍ମତି ଜଣାଇଛନ୍ତି। ଇତିମଧ୍ୟରେ ଆଉ ପାଦେ ଆଗେଇ ଯାଇ ଏହି ପ୍ରକଳ୍ପ ବିକ୍ରି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି।
ଶ୍ରୀ କାନୁନ୍ଗୋ ଆହୁରି କହିଛନ୍ତି ଯେ ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ବି ବ୍ୟଗ୍ରତା ପ୍ରକାଶ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ କାରଖାନାର ଜଳଯୋଗାଣ, ଖଣି, ଭଲ ଯୋଗାଯୋଗ ବ୍ୟବସ୍ଥା ଆଦି ସବୁ ହୋଇସାରିଛି। ଏହାକୁ ବିକ୍ରି କରିଦେବା ପାଇଁ ପ୍ରକୃଷ୍ଟ ସମୟ। ଏହି ପ୍ରକଳ୍ପକୁ ମିଳିଥିବା ଖଣି କାର୍ଯ୍ୟ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ଏହି କାରଖାନାର ସବୁଠାରୁ ବଡ଼ ସଂପଦ ହେଉଛି ଖଣି, ଯାହା ୮୭୪.୨୯ ହେକ୍ଟର ପରିମିତ। ଏଥଇରେ ୧୧୦ ମିଲିୟନ୍ ଲୁହାପଥର ମହଜୁଦ୍ ରହିଛି। ପଥରରେ ଲୌହ ଅଂଶ ୬୫ ପ୍ରତିଶତ।ଏହାହିଁ ଘରୋଇ କମ୍ପାନିମାନଙ୍କ ପାଇଁ ସର୍ବୋତମ ଲୋଭନୀୟ ଆକର୍ଷଣ ସାଜିଛି। ରାଜ୍ୟକୁ ଉପଯୁକ୍ତ ମୂଲ୍ୟ ମିଳୁ ବା ନମିଳୁ, ବିଜେଡ଼ି ଓ ବିଜେପି ନେତାଙ୍କୁ ବେଶ୍ ଭଲ କମିସନି ନିଶ୍ଚୟ ମିଳିବ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତାମାନେ ଆହୁରି କହିଛନ୍ତି, ନୀଳାଚଳ ଇସ୍ପାତ ନିଗମରେ ବର୍ତମାନ କାର୍ଯ୍ୟକରୁଥିବା ୫ହଜାରରୁ ଉର୍ଦ୍ଧ କର୍ମଚାରୀ ଛଟେଇ ହେବାର ଆଶଙ୍କା ଦେଖାଦେଇଛି। ଜାଣିଶୁଣି ସରକାର ନୀଳାଚଳ ଇସ୍ପାତ ନିଗମର ଉତ୍ପାଦନକୁ ବିଗତ କିଛି ମାସ ହେଲାଣି ବନ୍ଦକରି ଦେଇଛନ୍ତି। ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର କର୍ମଚାରୀ ମାସ ମାସ ଧରି ଦରମା ନପାଇ କରୋନା ମହାବିପତି ସମୟରେ ହନ୍ତସନ୍ତ ହେଉଛନ୍ତି।
ରାଜ୍ୟ ସରକାର ଓ.ଏମ୍.ସି. ଜରିଆରେ ଏମ୍.ଏମ୍.ଟି.ସି ର ଅଂଶଧନ ୪୯.୭୮ % କାହିଁକି କିଣୁ ନାହାନ୍ତି? ରାଜ୍ୟର କେଉଁ ବୃହତର ସ୍ୱାର୍ଥପାଇଁ ରାଜ୍ୟ ସରକାର କେନ୍ଦ୍ର ସହିତ ନୀଳାଚଳ ଇସ୍ପାତର ବିକ୍ରି ପାଇଁ ରାଜି ହେଲେ ସେ କଥା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଶ୍ରୀ କାନୁନ୍ଗୋ ଆହ୍ୱାନ ଦେଇଛନ୍ତି। ୧୯୮୨ ମସିହାରେ କଂଗ୍ରେସ ସରକାର ସମୟରେ କାରଖାନା ଆରମ୍ଭ ହୋଇଥିଲା ଏବଂ ୧୯୯୫ ମସିହାରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Congress.jpeg.jpg)