ନୀଳାଚଳ ଇସ୍ପାତ ନିଗମ ଘରୋଇକରଣକୁ ବି‌ରୋଧ, କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ ଶ୍ରମିକ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଓ ଘରୋଇକରଣକୁ ବିରୋଧ କରି ଆଜି ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଏଥିରେ ସାମିଲ ହୋଇଥିଲେ। କୌଣସି ଘରୋଇ କମ୍ପାନିକୁ ନୀଳାଚଳ କାରଖାନା ମଧ୍ୟକୁ ପୂରାଇ ଦିଆଯିବ ନାହିଁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଏହି ଅବସରରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ବିକ୍ଷୋଭକାରୀ କହିଛନ୍ତି, ୧୯୮୧ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟର ଦ୍ବିତୀୟ ଇସ୍ପାତ କାରଖାନା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୨ ମସିହା ବେଳକୁ ଏଥିରେ ଉତ୍ପାଦନ ଆରମ୍ଭ ହୋଇଥିଲା। ନୀଳାଚଳ ଇସ୍ପାତ ନିଗମର ସଫଳତା ଫଳରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଘରୋଇ ଉଦ୍ୟୋଗମାନେ ଆକର୍ଷିତ ହୋଇଥିଲେ। ନିଗମର ଖଣି ବି କମିସନିଂ ହୋଇଛି। ମାତ୍ର କଞ୍ଚାମାଲର ଅଭାବ ଦର୍ଶାଇ ବ୍ଲାଷ୍ଟଫର୍ଣ୍ଣେସ୍‌କୁ ବନ୍ଦ କରି ଦିଆଯାଇଛି। ତେଣୁ ସରକାର ଅର୍ଥ ବିନି‌ଯୋଗ କରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ଚାଲୁ କରିବାକୁ ସେମାନେ ଦାବି କରିଛନ୍ତି।

ବିକ୍ଷୋଭରେ ଆଇଏନ୍‌ଟିୟୁସର ରାଜ୍ୟ ସାଧାରଣ ସଂପାଦକ କିଶୋର ଜେନା, ପ୍ରଣତି ମିଶ୍ର, ଏଆଇଟିୟୁସିର ରାଜ୍ୟ ସଂପାଦକ ସୌରୀବନ୍ଧୁ କର ଓ ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସଂପାଦକ ଯୋଗେନ୍ଦ୍ର ତ୍ରିପାଠୀ, ସିଆଇଟିୟୁର ରାଜ୍ୟ ସଂପାଦକ ବିଷ୍ଣୁଚରଣ ମହାନ୍ତି, ଏଆଇୟୁଟିୟୁସିର ରାଜ୍ୟ ସଂପାଦକ ଜୟସେନ ମେହେର ଓ ମହେନ୍ଦ୍ର ପରିଡ଼ା, ନୀଳାଚଳ ବଞ୍ଚାଅ ମିଳିତ ମଂଚର ଆବାହକ ରଂଜନ କୁମାର ନାୟକ, ବିଜୟ ମହନ୍ତ, ରାଜ କିଶୋର ମହନ୍ତ, ବାବୁଲି ପୂର୍ତି, ମହିରାମ ପୁର୍ତି, ପୂର୍ଣ୍ଣଚନ୍ଦ୍ର ମହନ୍ତ, ପ୍ରତାପ ଜେନା, ବିଜୟ ମହାରଣା, ମନୋରଂଜନ ମହନ୍ତ, ମାନସ ପାତ୍ର, ଧୀରେନ୍ଦ୍ର ନାଥ ଦାସ, ଅନନ୍ଦ କୁମାର ଚାନ୍ଦ, ଶଶିକାନ୍ତ ଜେନା ପ୍ରମୁଖ ସାମିଲ ‌ହୋଇଥିଲେ।

ସମ୍ବନ୍ଧିତ ଖବର