ପୁରୀ : ଘୋଷଯାତ୍ରା ସାରି ନୀଳକନ୍ଦରକୁ ଲୀଳାମୟଙ୍କ ବିଜେ ପରେ ଶ୍ରୀଜିଉଙ୍କୁ ଶନିବାରଠାରୁ ଶ୍ରୀମନ୍ଦିରରେ ଷାଠିଏ ପଉଟି ଭୋଗ ଲାଗି ହୋଇଛି। ସେପଟେ ୧୪ ଦିନର ଘୋଷଯାତ୍ରା ସାରି ବାହୁଡ଼ିବା ପରେ ଶ୍ରୀମନ୍ଦିର ରତ୍ନବେଦିରେ ବିଜେ ଶ୍ରୀଜିଉଙ୍କୁ ଆଜି ପ୍ରଥମ ଅବଢ଼ା ଲାଗି ହୋଇଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଏ। ଏହି ମହାପ୍ରସାଦ ସେବନ କଲେ କୋଟିପୂଣ୍ୟ ମିଳିବାର ବିଶ୍ବାସ ରହିଥିବାରୁ ଶନିବାର ଶ୍ରୀମନ୍ଦିର ଚାରିପାଖେ ଲୋକେ ଭିଡ଼ ଲଗାଇଛନ୍ତି।

Advertisment

ଏ ସଂପର୍କରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି କି ଆଜି ସକାଳ ଧୂପ ସହ ଦୁଇଟି ଭୋଗମଣ୍ଡପରେ ୧୦ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ବାହାରିଥିଲା। ଯେଉଁଥିରେ ୩ ହଜାର ସେବାୟତଙ୍କ ପରିବାରଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ବାକି ୬ ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ମହାପ୍ରସାଦ ନେବା ବେଳେ ଶୃଙ୍ଖଳା ରକ୍ଷା ପାଇଁ ଆଜି ଉତ୍ତରଦ୍ବାରରେ ଜିଲ୍ଲା ପ୍ରଶାସନ ସହଯୋଗରେ ସେଡ୍‌ ବ୍ୟବସ୍ଥା କରାଯାଇଥିଲା। ଏଠାରେ ମହାପ୍ରସାଦ ପାଇଁ କାଉଣ୍ଟର୍‌ ଖୋଲାଯାଇଥିଲା। ‌କାଉଣ୍ଟର୍‌ରେ ଭକ୍ତମାନେ ଟୋକନ୍‌ କାଟି ମହାପ୍ରସାଦ ନେଇଥିଲେ। ସେହିଭଳି ଅଳ୍ପ କିଛି ଭକ୍ତ ଦକ୍ଷିଣଦ୍ବାରରେ ରହି ମହାପ୍ରସାଦ ନେଇଥିଲେ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପରଠାରୁ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ ରହିଥିଲା।