ପୁରୀ : ନୀଳାଦ୍ରି ବିଜେରେ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଅବା ସୁ‌ନାବେଶ ଭଳି ‌ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନଥିଲେ ବି ପହଣ୍ଡି ଦର୍ଶନ ପାଇଁ ଆଜି ସିଂହଦ୍ବାର ଓ ସଂଲଗ୍ନ ଗଳିକନ୍ଦିରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତ ଶେଷ ଦିନରେ ମହାପ୍ରଭୁଙ୍କୁ ରଥ ଉପରୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରି କୃତାର୍ଥ ମଣିଛନ୍ତି। ଆଜି ସକାଳୁ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ଲୋକଙ୍କ ଗହଳି ଲାଗିଥିଲା। କିନ୍ତୁ ଅପରାହ୍ନରୁ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ବେଳକୁ ସିଂହଦ୍ବାରରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଦୃଶ୍ୟ ଭକ୍ତିଭାବର ଅନନ୍ୟ ଉଦାହରଣ ସାଜିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିଲା। ଯେଉଁଥିପାଇଁ ଦୋଳମଣ୍ଡପସାହି, ମର୍ଚିକୋଟ ଛକ, ଲୋକନାଥ ରୋଡ୍‌ ସହ ଅନ୍ୟାନ୍ୟ ଆଖପାଖ ଗଳିରେ ଭକ୍ତଙ୍କ ଭିଡ଼ ରହିଥିଲା।

Advertisment

publive-image

ନୀଳାଦ୍ରି ବିଜେରେ ବି ବ୍ୟବସ୍ଥାବଳି ମାନିଲେନି

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ଓ ଆଡ଼ପ ପହଣ୍ଡିରେ ବିଶୃଙ୍ଖଳା ପରେ ସରକାରଙ୍କ ନିର୍ଦ୍ଦେଶରେ ଜରୁରୀକାଳୀନ ବୈଠକ ଡକାଯାଇ ବ୍ୟବସ୍ଥାବଳିକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହେଲା। ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଛତିଶାନିଯୋଗର ସଭାପତି, ସମ୍ପାଦକଙ୍କ ସହ ଚାରି ବାଡ଼ଗ୍ରାହୀଙ୍କୁ ବି ଏହି ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ଦିଆଗଲା। ଯିଏ ବ୍ୟବସ୍ଥାବଳି ତଥା ଆଦେଶକୁ ଉଲ୍ଲଂଘନ କରିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଗଲା। କିନ୍ତୁ ଆଜି ନୀଳାଦ୍ରି ବିଜେ ବେଳେ ବି ପୂର୍ବ ବିଶୃଙ୍ଖଳାର ପୁନରାବୃତ୍ତି ଘଟିଛି। ଶହ ଶହ ସେବକ ରଥ ଉପରେ ଚଢ଼ି ପହଣ୍ଡି କରିଛନ୍ତି। ଅନେକ ଅନଭିଜ୍ଞ ସେବକ ବି ରଥ ଉପରେ ଚଢ଼ି ପହଣ୍ଡି କରିଛନ୍ତି।

ସେପଟେ ଅନେକ ଯୁବତୀ, କୁନି ପିଲା ବି ରଥ ଉପରେ ଚଢ଼ିଛନ୍ତି, ଠାକୁରଙ୍କ ସ୍ପର୍ଶ ବି କରିଛନ୍ତି। ଚାରମାଳ ଉପରେ ବି ବସିଛନ୍ତି। ଏହା ବ୍ୟବସ୍ଥାବଳୀର ଖୋଲା ଉଲ୍ଲଂଘନ ହୋଇଥିବାବେଳେ ପ୍ରଶାସନ ଏ ଦିଗରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି, ଦେଖିବାକୁ ବାକି ରହିଛି। ସୂଚନାଯୋଗ୍ୟ, ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ପହଣ୍ଡି ବେଳେ ବିଶୃଙ୍ଖଳା ହେଲା। ଚାରମାଳ ଉପରେ ପଡ଼ିଗଲେ ମହାବାହୁ। ଆଡ଼ପ ପହଣ୍ଡି ବେଳେ ବି ସମାନ ବିଶୃଙ୍ଖଳା ନଜରକୁ ଆସିଲା। ରଥ ଉପରେ ଶହ ଶହ ସେବକ ଚଢ଼ିବାରୁ ଦିନକରେ ପହଞ୍ଚୁଥିବା ରଥ ଦୁଇଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଲା। ବାରମ୍ବାର ତିନି ରଥର ଡାହାଣ ପାର୍ଶ୍ବକୁ ମାଡ଼ି ଚାଲିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତିରେ ବି ଅହେତୁକ ବିଳମ୍ବ ହେଲା। ଏହା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜରୁରୀକାଳୀନ ବୈଠକ ଡକାଯାଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଥିଲା।