ପୁରୀ : ମାନବୀୟ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ରଥାରୂଢ଼ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଆଜି ନୀଳକନ୍ଦରକୁ ବିଜେ କରିଛନ୍ତି ମହାବାହୁ। ସାଙ୍ଗରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବି ଶ୍ରୀମନ୍ଦିର ଫେରିଛନ୍ତି। ଘୋଷଯାତ୍ରାରେ ୧୨ ଦିନ ଜନ୍ମବେଦି ଓ ରଥ ଉପରୁ ଅଗଣିତ ଭକ୍ତଙ୍କୁ ଆଶିଷ ଦେଇ ଆଜି ରତ୍ନବେଦିରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ସିଂହଦ୍ବାରକୁ ଫେରିବା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ଦିନ ଆଷାଢ଼ ଶୁକ୍ଳ ତ୍ରୟୋଦାଶୀ ତିଥିରେ ବିଜେ କାହାଳୀ ସହ ଘଣ୍ଟନାଦର ତାଳେ ତାଳେ ଗୋଟି ପହଣ୍ଡିରେ ହଲି ହଲି ଝୁଲି ଝୁଲି ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ। ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ବେଳେ ଦେଖିବାକୁ ମିଳିଛି ଭାବବିହ୍ବଳ ଓ ଭକ୍ତିମୟ ପରିବେଶ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଡାକରେ ଫାଟି ପଡ଼ିଛି ସିଂହଦ୍ୱାର। ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସାରି ଶ୍ରୀମନ୍ଦିର ଫେରୁଥିବା କାଳିଆ ସାଆନ୍ତଙ୍କ ଆଖି ସହ ଆଖି ମିଳାଇ ଭକ୍ତଗଣ ଝରାଇଛନ୍ତି ଲୋତକ।

Advertisment

publive-image

ସେପଟେ ଆଜିଠାରୁ ପୁଣିଥରେ ରତ୍ନବେଦିରୁ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ପୁଣିଥରେ ରତ୍ନବେଦିରେ ବିଜେ ମହାପ୍ରଭୁଙ୍କୁ ଷାଠିଏ ପଉଟି ଭୋଗ ଲାଗି ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଆରମ୍ଭ ହୋଇଛି ପ୍ରସ୍ତୁତି। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର। ଅନ୍ୟପଟେ ଆସନ୍ତାକାଲି ଭକ୍ତମାନେ ନୀଳାଚଳ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିବେ। ଏଥିପାଇଁ ୧୨ ଦିନ ଖାଲି ପଡ଼ିଥିବା ଶ୍ରୀମନ୍ଦିର ରୋଷଘର ବି ଚଳଚଞ୍ଚଳ ହୋଇଉଠିଛି। ସୁପକାରମାନେ ଆଜିଠାରୁ ମହାପ୍ରସାଦ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ନୀଳାଦ୍ରି ବିଜେରେ ଚତୁର୍ଦ୍ଧା ବିଗ୍ରହଙ୍କ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହୋଇଛି।

ନୀଳାଦ୍ରି ବିଜେ ଉପଲ‌କ୍ଷେ ଶନିବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ଣ ଗୋଟାଏରୁ ୪ଟା ୩୫ ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୫ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ ଓ ଶ୍ରୀକୃଷ୍ଣ, ମଦ‌ନମୋହନ ନୀଳାଦ୍ରି ବିଜେ କରିଥିଲେ। ପରେ ୫ଟା ୪୫ରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସୁଦର୍ଶନଙ୍କ ପହଣ୍ଡି ପରେ ସନ୍ଧ୍ୟା ୬ଟା ୨୦ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବଡ଼ଠାକୁର ରତ୍ନବେଦିରେ ବିଜେ କରିବା ପରେ ଦେବୀ ସୁଭଦ୍ରାଙ୍କର ସନ୍ଧ୍ୟା ୭ଟା ୫୦ ମିନିଟରେ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ରାତି ୮ଟା ୨୦ ମିନିଟ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନିଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା। ଶ୍ରୀମନ୍ଦିର ଭେଟମଣ୍ଡପରୁ ଲକ୍ଷ୍ମୀ-ନାରାୟଣ ଭେଟ ଓ ବଚନିକା ପାଠ ପରେ ମହାପ୍ରଭୁ ରତ୍ନବେଦିକୁ ବିଜେ କରିଥିଲେ।