ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ଯାଉଛନ୍ତି ମହାପ୍ରଭୁ

ପୁରୀ: ୧୨ ଦିନର ଲୀଳାଖେଳା ଶେଷ ପରେ ଶୁକ୍ରବାର ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି । ଏହାରି ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି । ରାମକୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ବିଜେ କରିସାରିଛନ୍ତି । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିସାରିଛନ୍ତି । ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦୀକୁ ଯିବେ ।

ନୀଳାଦ୍ରି ବିଜେ ଆଜି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ଭୋର୍‌ ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଥିଲା । ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ସାଢ଼େ ୮ଟାରେ ମଇଲମ, ସାଢ଼େ ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍ଣ ୧୦ଟାରେ ବେଶ ଶେଷ, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନ ଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ, ୧୨ଟା ୧୫ରେ ସନ୍ଧ୍ୟା ଆଳତି, ଅପରାହ୍ଣ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା । ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ କରାଯାଇଥିଲା । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ।

ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ରାତି ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ପିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ସୁଦ୍ଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟ ପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ଭୋର୍‌ ୫ଟାରେ ରାତି ପହୁଡ଼ ହେବ।

ସମ୍ବନ୍ଧିତ ଖବର