ସିଂହଦ୍ବାର ଲୋକାରଣ୍ୟ, ନୀଳାଦ୍ରି ବିଜେ ପହଣ୍ଡି ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଶ୍ରଦ୍ଧାଳୁଙ୍କୁ ବଣ୍ଟାହେଲା ରସ‌ଗୋଲା

ପୁରୀ : ନୀଳାଦ୍ରି ବିଜେରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଦର୍ଶନ ପାଇଁ ମଙ୍ଗଳବାର ଦିନ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଅବା ସୁ‌ନାବେଶ ଭଳି ‌ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନଥିଲେ ବି ପହଣ୍ଡି ଦର୍ଶନ ପାଇଁ ମଙ୍ଗଳବାର ସିଂହଦ୍ବାର ଓ ସଂଲଗ୍ନ ଗଳିକନ୍ଦିରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତ ଘୋଷଯାତ୍ରା ପର୍ବର ଶେଷଦିନରେ ମହାପ୍ରଭୁଙ୍କୁ ରଥ ଉପରୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଜି ସକାଳୁ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଲୋକଙ୍କ ଗହଳି ଲାଗିଥିଲେ ବି ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା। କିନ୍ତୁ ଅପରାହ୍ଣରୁ ଭିଡ଼ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ବେଳକୁ ସିଂହଦ୍ବାରରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିଲା। ଯେଉଁଥିପାଇଁ ଦୋଳମଣ୍ଡପସାହି, ମର୍ଚିକୋଟ ଛକ, ଲୋକନାଥ ରୋଡ୍‌ ସହ ଅନ୍ୟାନ୍ୟ ଆଖପାଖ ଗଳିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ପୁଣି ବର୍ଷକ ପରେ ମହାପ୍ରଭୁ ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯିବା ପାଇଁ ରଥାରୂଢ଼ ହେବେ। ତେଣୁ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ଥିଲା ଚଳିତ ବର୍ଷର ଶେ‌ଷ ଅବସର। ତେଣୁ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଏ ସୁଯୋଗ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଅପରାହ୍ଣ ହେଉହେଉ ହଜାର ହଜାର ସଂଖ୍ୟାରେ ଭକ୍ତ ସିଂହଦ୍ବାର ସମ୍ମୁଖରେ ଥିବା ତିନିରଥ ପାଖରେ ରୁଣ୍ଡ ହୋଇଯାଇଥିଲେ। ମହାବାହୁ, ମହାପ୍ରଭୁ, କାଳିଆ ସାଆନ୍ତ, ଜୟ ଜଗନ୍ନାଥ ଡାକରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।

ଶ୍ରଦ୍ଧାଳୁଙ୍କୁ ବଣ୍ଟାହେଲା ରସ‌ଗୋଲା

ପୁରୀ :ନୀଳାଦ୍ରି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି। ଏହି ଦୃଷ୍ଟିରୁ ଆଜି ସେବାୟତ, ଭକ୍ତମାନେ ମାଟି ହାଣ୍ଡିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ସମର୍ପଣ କରିଛନ୍ତି। ରଥ ଆଗରେ ରଥାରୁଢ଼ ଶ୍ରୀଜିଉଙ୍କୁ ରସଗୋଲା ଭୋଗ କରିବା ସହ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି। ଉଭୟ ଭକ୍ତ, ସେବାୟତ ଆଜି ଗହଳି ଭିତରେ ରସଗୋଲା ବାଣ୍ଟୁଥିବା ଦେଖିବାକୁ ମିଳିଛି। ମାନସିକଧାରୀମାନେ ବି ମାଟି ହାଣ୍ଡିରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରି ଶ୍ରଦ୍ଧାଳୁଙ୍କୁ ବାଣ୍ଟିଛନ୍ତି।

ସମ୍ବନ୍ଧିତ ଖବର