ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିବେ ଶ୍ରୀଜିଉ, ମା’ଲକ୍ଷ୍ମୀଙ୍କୁ ରସଗୋଲା ଦେଇ କରିବେ ମାନଭଞ୍ଜନ

ପୁରୀ: ଆଜି ନୀଳାଦ୍ରି ବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିବେ। ୯ ଦିନିଆ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିବେ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛି ସମୟ ପରେ ପହଣ୍ଡି ଆରମ୍ଭ ହୋଇଯିବ। ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବ। ତା’ପରେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିବେ ଶେଷରେ କାଳିଆ ସାଆନ୍ତ ରତ୍ନ ସିଂହାସନରେ ବିରାଜମାନ କରିବେ।

ଘୋଷଯାତ୍ରାର୧୨ ଦିନର ଏହି ଲୀଳାଖେଳା ଶେଷ ପରେ ମଙ୍ଗଳବାର ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶଶେଷ ହୋଇଥିଲା। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ୩ଟା ୫୦ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା। ଏହା ପରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଅପରାହ୍ଣ ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ପିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ସୁଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତି ପହୁଡ଼ ହେବ।

ସମ୍ବନ୍ଧିତ ଖବର