ଖୋଲିବ ୮ଟି ପୁନର୍ବାସ କେନ୍ଦ୍ର
ପ୍ରତି କେନ୍ଦ୍ରରେ ଥଇଥାନ ହେବେ ୫୦ ଜଣ

Advertisment

ପୁରୀ : ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରାଯିବ। ସମସ୍ତ ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ। ମୁଖ୍ୟସ୍ରୋତରେ ସାମିଲ୍‌ ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା। ଏହି ଉପଲକ୍ଷେ ଆଜି ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖର ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ଏହି ଯୋଜନାକୁ ସଫଳ କରିବା ପାଇଁ ହାତ ବଢ଼ାଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଧୈର୍ଯ୍ୟର ସହ କାମ କରିବାକୁ ଉପସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

publive-image

ଯୋଜନା ସଂପର୍କରେ ସୂଚନା ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହବାକୁ ଥିବା ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଟି ‘ନୀଳାଦ୍ରି ନୀଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରାଯିବ। ଏଥିସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ପୁରୀ ପୌରାଞ୍ଚଳ ତଥା ଆଖପାଖରେ ଭିକାରିମାନଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ। ବ୍ୟକ୍ତିଗତ କାଉନସେଲିଂ ପରେ ସେମାନଙ୍କ ପାଇଁ ସ୍ଥିରିକୃତ ‘ନୀଳାଦ୍ରି ନୀଳୟ’ ଗୃହକୁ ପଠାଇବାର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ ଓ କୁଷ୍ଠ ରୋଗୀ ଅବା କୁଷ୍ଠ ରୋଗମୁକ୍ତ ଭିକାରିମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ କାର୍ଯ୍ୟ କରିବ। ଆଗାମୀ ୩ ତାରିଖରୁ ପ୍ରଫୁଲ୍ଲ ଯୋଜନାର ପରାମର୍ଶଦାତାମାନଙ୍କ ତଦାରଖରେ ପୁରୀ ପୌରାଞ୍ଚଳର ୪ଜଣ କମ୍ୟୁନିଟି ଅର୍ଗାନାଇଜ଼ର ଓ ଏହି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ସହିତ ସହବନ୍ଧିତ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ମିଳିତ ଟିମ୍ ଗଠନ କରାଯିବ। ଏହି ଟିମ୍‌ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବସୁଥିବା ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ। ଜିଲ୍ଲାପାଳ ଶ୍ରୀ ସିଂ ଏହି କାର୍ଯ୍ୟର ସଠିକ ପରିଚାଳନା ଦାୟିତ୍ବ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ନ୍ୟସ୍ତ କରିଛନ୍ତି। ଏହା ଏକ ବୃହତ ଓ ସମ୍ବେଦନଶୀଳ ଯୋଜନା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ପୋଲିସ ପ୍ରଶାସନର ସହାୟତା ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।