ନୀଳାଦ୍ରି ବିଜେ କଲେ ମହାପ୍ରଭୁ : ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନ ଭାଙ୍ଗି‌ଲେ ଶ୍ରୀଜଗନ୍ନାଥ

ପୁରୀ : ବିନା ଭକ୍ତରେ ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଆଜି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ଚଳିତ ବର୍ଷ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।

ନୀଳାଦ୍ରି ବିଜେ ଉପଲ‌କ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶଶେଷ ପରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ପରେ ସକାଳଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିଲା। ବେଶଶେଷ ପରେ ମଧ୍ୟାହ୍ନଧୂପ, ମଇଲମ ଓ ବେଶ, ସଂଧ୍ୟାଆଳତି, ସଂଧ୍ୟାଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା। ସାଢ଼େ ୩ଟାରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟା ୩୫ରେ ପହଣ୍ଡି ଆରମ୍ଭ ହୋଇଥିଲା।

ପ୍ରଥମେ ରାମ-କୃଷ୍ଣ, ମଦ‌ନମୋହନ ନୀଳାଦ୍ରି ବିଜେ କରିଥିଲେ। ପରେ ଅପରାହ୍ଣ ୫ଟା ୫ରେ ସୁଦର୍ଶନଙ୍କୁ ରତ୍ନବେଦିରେ ବିଜେ କରାଯାଇଥିଲା। ଅପରାହ୍ଣ ସାଢ଼େ ୫ଟାରେ ବଡ଼ଠାକୁର ବଳଭଦ୍ରଙ୍କୁ ନୀଳଦ୍ରି ବିଜେ କରାଯାଇଥିଲା। ରତ୍ନବେଦିରେ ବଡ଼ଠାକୁର ବିଜେ କରିବା ପରେ ସଂଧ୍ୟା ୬ଟା ୪୫ରେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦିରେ ବିଜେ କରିବା ପରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ରାତି ୭ଟା ୪୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଚାରମାଳ ଉପରେ ତିନିଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା।

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ବିମୁଖ ଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଥିଲେ। ଚାହାଣି ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳଦ୍ରି‌ ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଅବସରରେ କିଛି ସମୟ ପାଇଁ ସିଂହଦ୍ୱାର ବନ୍ଦ ରଖାଯାଇଥିଲା। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।
କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିର ଜୟବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ଜୟବିଜୟ ଦ୍ୱାର ଖୋଲିଥିଲା।

ନୀଳାଦ୍ରି ବିଜେର ଅନ୍ୟତମ ବିଶେଷତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରିଥାନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ବିଶେଷ କରି ନବବିବାହିତ ଦମ୍ପତିଙ୍କ ଭିଡ଼ ରହିଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଏହି ‌ସେବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ସମ୍ବନ୍ଧିତ ଖବର