ଚାହାଣି ମଣ୍ଡପରେ ମା’, ରଥ ଉପରେ ପ୍ରଭୁ; ହେଲା ଚାରି ଚକ୍ଷୁର ମିଳନ

ପୁରୀ : ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି କୋଟି କୈବଲ୍ୟ ନାଥ କାଳିଆ ସାଆନ୍ତ। ଏହି ଖବର ପାଇବା ପରେ ମା ଲକ୍ଷ୍ମୀ ସାଆନ୍ତାଣି କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟଗ୍ର। ତଥାପି ମନରେ ରହିଛି ଅଭିମାନ। ମହାପ୍ରଭୁ ବଡ଼ଭାଇ ଶ୍ରୀବଳଭଦ୍ର, ସାନ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଇେ ଘୋଷଯାତ୍ରାରେ ଗଲାବେଳେ ତାଙ୍କୁ ଟିକେ ଜଣାଇବାକୁ ଉଚିତ୍ ମଣି ନାହାନ୍ତି। ଏହା ମା’ଙ୍କୁ ଯେତିକି କଷ୍ଟ ଦେଇଥିଲା, ମା’ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିବା ସେତିକି ଅପମାନିତ କରିଥିଲା। ଏ ନେଇ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି ସତ ହେଲେ ସରାଗରେ ମହାପ୍ରଭୁଙ୍କୁ ଅପେକ୍ଷା କରିଥିଲେ।

ଠାକୁରେ ନୀଳାଦ୍ରି ବିଜେ କରୁଥିବା ଶୁଣି ମା’ ଲକ୍ଷ୍ମୀ ସାଆନ୍ତାଣି ସିଂହଦ୍ବାର ବାମପାର୍ଶ୍ବରେ ଥିବା ଚାହାଣୀ ମଣ୍ଡପରୁ କାଳିଆ ସାଆନ୍ତଙ୍କୁ ରଥ ଉପରୁ ଦର୍ଶନ କରିଛନ୍ତି। କାଳିଆ ସାଆନ୍ତ ବି ମା’ ଲକ୍ଷ୍ମୀଙ୍କ ମନ କଥା ବୁଝି ରଥ ଉପରେ ପ୍ରାୟ ଅଧଘଣ୍ଟା ଧରି ମା’ଙ୍କୁ ଦର୍ଶନ ଦେଇଛନ୍ତି। ତେବେ କାଳିଆ ସାଆନ୍ତଙ୍କୁ ଦେଖିବା ପରେ ତାଙ୍କ ଅଭିମାନ ବଢ଼ିଯାଇଛି। ସଖୀଙ୍କୁ କହି ପ୍ରଥମେ ସିଂହଦ୍ବାର ବନ୍ଦ କରି ଶ୍ରୀମନ୍ଦିର ପ୍ରବେଶର ବାଟ ଓଗାଳିଥିଲେ। ମାନଭଞ୍ଜନ ପରେ ସିଂହଦ୍ବାର ଫିଟିଥିଲା। ବାଇଶି ପାହାଚ ଦେଇ ରତ୍ନବେଦିକୁ ଯିବା ପାଇଁ ପାଦ ପକାଇଛନ୍ତି କି ନାହିଁ ପୁଣି ଥରେ ଜୟ-ବିଜୟ ଦ୍ୱାରଠାରେ ରୋଷର ଶିକାର ହୋଇଥିଲେ ମହାପ୍ରଭୁ। ଠାକୁରଣୀଙ୍କ ସହଚରୀମାନେ ଶ୍ରୀମନ୍ଦିର ଜୟ-ବିଜୟ ଦ୍ୱାରକୁ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଜୟ-ବିଜୟ ଦ୍ବାରଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ। ପରେ ଜୟ-ବିଜୟ ଦ୍ୱାର ଖୋଲିବା ସହ ରତ୍ନବେଦିକୁ ବିଜେ କରିଥିଲେ କାଳିଆ ସାଆନ୍ତେ।

ସମ୍ବନ୍ଧିତ ଖବର