ନୀଳଗିରି: ଖଇରାବଣି ଗାଁରେ ପଶିଛି ଭାଲୁ; ଲୋକେ ଆତଙ୍କିତ

ନୀଳଗିରି: ଶୁକ୍ରବାର ପ୍ରତ୍ୟୁଷରେ ଖଇରାବଣି ଗାଁ’ରେ ଗୋଟାଏ ଭାଲୁ ପଶିଯାଇ ଏକ ବାଉଁଶମୋଟାରେ ବସି ରହି ଥିବାରୁ ଲୋକେ ବଡ଼ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଅଣ୍ଡିରା ଭାଲୁଟି ନୀଳଗିରି-ମିତ୍ରପୁର ରାସ୍ତାକଡ଼ର ଗୋଟାଏ ବୁଦାମୂଳେ ଛପିଥିବା ଅବସ୍ଥାରେ ଆଜି ଭୋର୍‌ ବେଳା ପୋଖରୀପାଣି ଯାଇଥିବା କଣ୍ଟାବଣିଆ ଗ୍ରାମର ଜଣେ ବ୍ୟକ୍ତି ଦେଖି ପାଟି କରିଥିଲେ। ତାଙ୍କ ପାଟି ଶୁଣି କଣ୍ଟାବଣିଆ ଗାଁ ଲୋକେ ଧାଇଁ ଆସିବାରୁ ଭାଲୁଟି ଛାନିଆ ହୋଇ ଖଇରାବଣି ଗାଁ ଭିତରକୁ ପଶି ଯାଇଥିଲା।

କୁହାଯାଉଛି ଗତ ରାତିରେ ସେ ଭାଲୁ ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ଚାଲି ଆସିଥିଲା ଏବଂ ରାତି ପାହି ଯିବାରୁ ଆଉ ସେଠାକୁ ଫେରି ନ ପାରି ଜଙ୍ଗଲିଆ ବୁଦା ଆଢୁଆଳରେ ଆତ୍ମଗୋପନ କରିଥିଲା।

ସମ୍ପ୍ରତି ଭାଲୁ ବାପୁଡ଼ା ଖଇରାବଣି ଗାଁର ମଧ୍ୟସ୍ଥଳରେ ଥିବା ଠାକୁରାଣୀ ନିକଟରେ ଥିବା ବାଉଁଶମୋଟାରେ ବସିଛି। ତାକୁ ଘଉଡ଼ାଇବାକୁ ଲୋକେ ଘେରିଯାଇ ବାଣ ଫୁଟାଇବା ସହ ବାଜା ବଜାଉଛନ୍ତି।

ଖବର ପାଇ ନୀଳଗିରି ରେଞ୍ଜର୍‌ ଦେବେନ୍ଦ୍ର ପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିର ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର