ଜାତିସଂଘ ଦ୍ବାରା ମନୋନୀତ ଜଳବାୟୁ ପରିବର୍ତନ ଉପରେ ଫିଲ୍ମ କରିବେ ନୀଳମାଧବ

ଭୁବନେଶ୍ବର : ଜଳବାୟୁ ପରିବର୍ତନ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମିଳିତ ଜାତିସଂଘ ଦ୍ବାରା ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ତଥା ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା। ୫ଟି ମହାଦେଶ ମଧ୍ୟରୁ ମୋଟ୍‌ ୧୧ଜଣ ଜଣାଶୁଣା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ମିଳିତ ଜାତିସଂଘ ଚୟନ କରିଥିବା ବେଳେ ନୀଳମାଧବ ପଣ୍ଡା ଏହି କୃତିତ୍ବର ଅଧିକାରୀ ହୋଇପାରିଛନ୍ତି। ୟୁଏନ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ପବ୍ଲିକ୍‌ ଇନ୍‌ଫର୍ମେସନ୍‌ (ୟୁଏନ୍‌ଡିପିଆଇ) ପକ୍ଷରୁ ଏହା ସ୍ପଷ୍ଟ ହୋଇଛି।

ଚଳଚ୍ଚିତ୍ରରେ ସମାଜ ପରିବର୍ତନର ବାର୍ତା ଦେଇ ଆସିଥିବା ଶ୍ରୀ ପଣ୍ଡା ‘ଆଇ ଆମ୍‌ କଲାମ’ ଓ ‘କଡ୍‌ୱି ହାୱା’ ଭଳି ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚ୍ଚିତ ହୋଇଥିବା ବେଳେ ଏବେ ସେ ନୂଆଦିଲ୍ଲୀ ଭଳି ଅତ୍ୟାଧୁନିକ ସହରରେ ବାୟୁ ପ୍ରଦୂଷଣର ଶୋଚନୀୟ ଅବସ୍ଥାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ନିର୍ମାଣାଧୀନ କାହାଣୀଟି ଶ୍ରୀ ପଣ୍ଡାଙ୍କ ନୂଆଦିଲ୍ଲୀ ରହଣିର ଅନୁଭୂତିରୁ ଜନ୍ମ ନେଇଛି। ନୀଳମାଧବ କହନ୍ତି, ମୁଁ ମହାନଦୀ ପାର୍ଶ୍ବରେ ବଢ଼ିଛି। ସେଇ ନଦୀ, ‌ଗାଁ ଓ ଜଙ୍ଗଲ ଋତୁ ଓ ପ୍ରକୃତିର ପରିବର୍ତନ ବାବଦରେ ମତେ ଅନେକ କିଛି ଶିଖାଇଛି। ପରିବେଶର ରଙ୍ଗ, ପକ୍ଷୀଙ୍କ କାକଳି, ବିଲରେ ବଢ଼ୁଥିବା ଶସ୍ୟ, ଋତୁ ଭିତ୍ତିକ ଫଳ ଓ ପନିପରିବା ଋତୁ ବାବଦରେ ସୂଚାଇ ‌ଦିଏ। ତେବେ ୧୯୯୫ ମସିହାରେ ମୁଁ ଆଉ ଟିକେ ଉନ୍ନତ ଜୀବନ ବଞ୍ଚିବା ପାଇଁ ଦିଲ୍ଲୀ ଚାଲି ଆସିଥିଲି। ୨୦୦୪ରେ ମୋ ପୁଅ ଜନ୍ମ ନେବା ପରେ ସେ ବି ମୋ ଭଳି ସ୍ପ୍ରିଣ୍ଟ୍‌ କରିବାକୁ ଆଗ୍ରହ ପ୍ରକାଶ କଲା। କିନ୍ତୁ ୨ ବର୍ଷ ତଳେ ତା’ର ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେଲା। ଦିଲ୍ଲୀ ମହାନଗରର ବାୟୁ ପ୍ରଦୂଷଣ କାରଣରୁ ସେଠାକାର ଜୀବନ କେମିତି ଦୁର୍ବିସହ ହୋଇ ପଡୁଛି ଏବଂ ଏହା ମଣିଷର ବଞ୍ଚିବାର ଅଧିକାରକୁ ଛଡ଼େଇ ନେଉଛି ସେଇ ବିଷୟବସ୍ତୁକୁ ନେଇ ‘ବ୍ରିଦିଙ୍ଗ୍‌ ଡାଏରି’ ଶୀର୍ଷକ ଫିଲ୍ମ ନିର୍ମାଣ କରୁଛନ୍ତି ନୀଳମା‌ଧବ। ଦିବ୍ୟା ଦତ୍ତା, ତନ୍ନିଷ୍ଠା ଚାଟାର୍ଜୀ, ମଞ୍ଜରୀ ଫଡନିସ ଓ ଚନ୍ଦନ ଆନନ୍ଦ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ଆମ ସମ୍ବିଧାନର ୨୧ ଧାରା ଆମକୁ ବଞ୍ଚିବାର ଅଧିକାର ଦେଇଛି। ହେଲେ ପରିବେଶ ପ୍ରଦୂଷଣ ଓ ଜଳବାୟୁର ଭୟଙ୍କର ପରିବର୍ତ୍ତନ ଆମ ଜୀବନ ଏକ ଗ୍ୟାସ ଚାମ୍ବର ପାଲଟିଯାଉଛି। ଏହି ଗ୍ୟାସ ଚାମ୍ବର ଭିତରେ ମଣିଷ ସମାଜକୁ ବଞ୍ଚାଇବାର କାହାଣୀ ତାଙ୍କର ନୂଆ ସିନେମାରେ ଦେଖିବାକୁ ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

୧୧ ଜଣ ନିର୍ମାତାଙ୍କ ୧୧ଟି ଯାକ ସିନେମା ଗୋଟେ ଭିଜୁଆଲ ଆନ୍ଥୋଲୋଜି ଭଳି ଉପସ୍ଥାପିତ କରାଯିବ। ଜାତିସଂଘ ଏହି ପ୍ରକଳ୍ପକୁ ‘ଇଣ୍ଟରଡିପେଣ୍ଡେନ୍‌ସ’ ଭାବେ ନାମିତ କରିଛନ୍ତି। ଏହି ସିନେମା ଆଗାମୀ ଦିନରେ ଇଟାଲି ଓ ପରେ ବିଶ୍ବର ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର