୧୯୭୧ ଯୁଦ୍ଧ ଉପରେ ଫିଲ୍ମ କରିବେ ନୀଳମାଧବ

ଭୁବନେଶ୍ୱର : ‘ଆଇ ଆମ୍‌ କଲାମ୍‌’, ‘ଜଲ୍‌ପରୀ’, ‘କୌନ୍‌ କିତନେ ପାନି ମେ’, ‘କଡଭି ହାଓ୍ଵା’ ପରି ଫିଲ୍ମ ଭେଟି ଦେଇଥିବା ବଲିଉଡ୍‌ ନିର୍ଦେଶକ ନୀଳମାଧବ ପଣ୍ଡା ଏବେ ନିଜର ପରବର୍ତୀ ହିନ୍ଦୀ ଚଳଚ୍ଚିତ୍ର ପାଇଁ ପ୍ର୍ରସ୍ତୁତି ଆରମ୍ଭ କରିଛନ୍ତି। ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। କଳାକାର ଚୟନ ହୋଇ ନ ଥିଲେ ମଧ୍ୟ ବଲିଉଡ୍‌ର ନାମକରା ଅଭିନେତା ଓ ଅଭିନେତ୍ରୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବେ। ୨୦୧୯ ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ସେପ୍ଟେମ୍ବର ୭ରେ ଚଳଚ୍ଚିତ୍ର ‘ହାଲ୍‌କା’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ଉପରେ ଏବେ ସମସ୍ତ ଫୋକସ୍‌ ରଖାଯାଇଛି। ୧୯୭୧ ଯୁଦ୍ଧକୁ ନେଇ ଏବେ ବିଶେଷ କଥା ହେଉନୁ। କିନ୍ତୁ ଯେହେତୁ ଏହି ଫିଲ୍ମ ଏକ ଯୁଦ୍ଧ ପୃଷ୍ଠଭୂମିକୁ ନେଇ ନିର୍ମାଣ କରାଯିବ, ବଡ଼ ବଜେଟ୍‌ ରଖାଯାଇଛି। ୨୦୨୧ରେ ୧୯୭୧ ଯୁଦ୍ଧକୁ ୫୦ ବର୍ଷ ପୂରଣ ହେବାକୁ ଯାଉଛି। ତେଣୁ ବର୍ତର୍ମାନର ଯୁବପିଢ଼ିଙ୍କ ପାଇଁ ଏହାର ଆବଶ୍ୟକତା ରହିଛି। ୫୦ ବର୍ଷ ତଳେ କିଭଳି ଥିଲା ଭାରତର ସ୍ଥିତି, ତାହା ଉପରେ ଯୁବପିଢ଼ି ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ସମ୍ପର୍କରେ ସେ କହିଥିଲେ ଯେ ପୁରସ୍କାର ପାଇବା କି ନ ପାଇବା, ମୋ କାମ ଉପରେ କୌଣସି ପ୍ରଭାବ ପକାଏ ନାହିଁ। ଫିଲ୍ମ ନିର୍ମାଣ ପୂର୍ବରୁ କୌଣସି ଯୋଜନା, କାହାଣୀ ପ୍ରସ୍ତୁତ କରି ନ ଥାଏ। ଯେତେବେଳେ ଇଚ୍ଛା ହୁଏ, ସେତେବେଳେ ଫିଲ୍ମ ତିଆରି କରେ। ସବୁବେଳେ କାର୍ଯ୍ୟ ଉପରେ ବିଶ୍ୱାସ କରେ। ଗୋଟିଏ ଫିଲ୍ମ କରିବା ପାଇଁ ୫ରୁ ୮ ବର୍ଷ ସମୟ ଲାଗିଯାଏ। ସେଥିପାଇଁ ଫିଲ୍ମର ପ୍ର୍ରମୁଖ ଅଭିନେତା, ଅଭିନେତ୍ରୀ ନିଜେ ସ୍ଥିର କରେ। ଜଗନ୍ନାଥ ସବୁବେଳେ ମୋ ସହ ରହିଛନ୍ତି। ତେଣୁ ଆଗକୁ ବଢ଼ିପାରୁଛି। ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିନାହାନ୍ତି। ବରଂ ଆବଶ୍ୟକତା ପଡ଼ିଲେ ଲୋକଙ୍କ ସେବା କରିବି ବୋଲି କହିଛନ୍ତି। ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ସମୟ ଦେଇପାରିବ ନାହିଁ ସେପର୍ଯର୍୍ୟନ୍ତ ସେ ରାଜନୀତିଠାରୁ ଦୂରେଇ ରହିବା ଆବଶ୍ୟକ। ଏବେ ରାଜନୀତିରେ ଭଲ ଲୋକ ରହିଛନ୍ତି, କାମ କରୁଛନ୍ତି। ତେଣୁ ରାଜନୀତିକୁ ଆସିବି ନାହିଁ। ଯଦି ମୋତେ କେବେ ହୃଦ୍‌ବୋଧ ହେବ ଯେ ଦେଶକୁ ଭଲ ଲୋକଙ୍କ ଆବଶ୍ୟକତା ରହିଛି, ତେବେ ମୁଁ ରାଜନୀତିରେ ଯୋଗଦେବି। ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ସେବା କରୁଛି। ଭଗବାନଙ୍କୁ କୃପାରୁ ଯାହା ପାଇଛି ସେଥିରେ ଭଲ ରହିଛି।

ସମ୍ବନ୍ଧିତ ଖବର