ପୁରୀ: ରତ୍ନବେଦିକୁ ଫେରିଛନ୍ତି ନୀଳମଣି ନୀଳାଦ୍ରିନାଥ। ଦ୍ବାଦଶ ଯାତ୍ରାର ଅନ୍ତିମ ଅଙ୍କ ଥିଲା ନୀଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିଛନ୍ତି। ଘର ବାହୁଡ଼ା ବେଳର ଅନ୍ତିମ କ୍ଷଣ ଯେତିକି ନାଟକୀୟ, ସେତିକି ଉପଭୋଗ୍ୟ ଥିଲା। ମାନଭଞ୍ଜନ ଓ ଭେଟ ମଣ୍ଡପର ଅନନ୍ୟ ନୀତି ଭକ୍ତଗଣଙ୍କୁ ବିମୋହିତ କରିଥିଲା। ରଥ ଉପରୁ ପ୍ରଥମେ ମଦନମୋହନ, ରାମ-କୃଷ୍ଣଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ମଦନମୋହନଙ୍କ ପରେ ଚକ୍ରରାଜ ସୁଦର୍ଶନଙ୍କୁ ବିରାଜମାନ କରାଯାଇଥିଲା। ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିଥିଲେ। ସବାଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବା ବେଳକୁ ରାତ୍ରି ବିଳମ୍ବ ହୋଇ ଯାଇଥିଲା। ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବରେ ମେଘନାଦ ପାଚେରିକୁ ଲାଗି ରହିଥିବା ଭେଟ ମଣ୍ଡପରେ ମହାଲକ୍ଷ୍ମୀ ବେଶ ହୋଇ ଉପସ୍ଥିତ ଥିଲେ। ରଥରୁ ଓହ୍ଲାଉଥିବା ଶ୍ରୀଜଗନ୍ନାଥ ଏବଂ ଭେଟ ମଣ୍ଡପରେ ଥିବା ମହାଲକ୍ଷ୍ମୀଙ୍କ ଚକ୍ଷୁର ମିଳନ ହୋଇଥିଲା। ଉଭୟଙ୍କୁ ବନ୍ଦାପନା କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ପତି ମହାପାତ୍ର ଏବଂ ଦେବୀ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଛ ମହାପାତ୍ର କରିଥିଲେ। ଏତେ ଦିନ ଧରି ମାନ କରି ରହିଥିବା ମହାଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ ବ୍ରହ୍ମାଣ୍ଡ ଠାକୁର।
ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ସକାଳ ୬ଟା ୫୦ରୁ ୭ଟା ୧୦ ମଧ୍ୟରେ ତିନିରଥରେ ମଙ୍ଗଳ ଆଳତି ପରେ ୭ଟା ୧୦ରୁ ୭ଟା ୧୫ ମଧ୍ୟରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟା ୪୫ରୁ ୮ଟା ୨୦ରେ ଅବକାଶ ନୀତି ପରେ ସକାଳ ୮ଟା ୨୫ରୁ ୮ଟା ୫୫ ମଧ୍ୟରେ ବେଶ ଶେଷ ହୋଇଥିଲା। ସାଢ଼େ ୯ଟାରୁ ୯ଟା ୪୫ରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୦ଟା ୨୫ରୁ ୧୧ଟା ମଧ୍ୟରେ ସକାଳଧୂପ, ଏହା ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ବେଶଶେଷ, ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସନ୍ଧ୍ୟାଆଳତି ଓ ସନ୍ଧ୍ୟାଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ତିନି ରଥରେ ଚାରବନ୍ଧା ସରିବା ପରେ ସିଂହାସନ ମାଜଣା କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ସାଢ଼େ ୭ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହୋଇଥିଲା।