ଭୁବନେଶ୍ବର: ରାଜ୍ୟ ନୀଳାଚଳ ଭତ୍ତା ମହାସଂଘ ପକ୍ଷରୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ ୩ ହଜାରର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ଦାବି କରାଯାଇଛି। ଏଥିପାଇଁ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରାଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ବହୁବାର ସରକାରଙ୍କୁ ଭତ୍ତା ବୃଦ୍ଧି କରିବାକୁ ଦାବି କରାଯାଇଛି। ହେଲେ ଏହାପ୍ରତି ଅବିଚାର କରାଯାଇଛି।
ନୂଆ ସରକାର ଆସିବା ପରେ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ୩୦୦୦ ହଜାର ଟଙ୍କା ଭତ୍ତା ଦିଆଯାଇଥିଲେ ମଧ୍ୟ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ହିତାଧିକାରୀଙ୍କ ପ୍ରତି ଆଖି ବନ୍ଦ କରିଦେଇଛନ୍ତି। ତେଣୁ ଆସନ୍ତା ୩୧ ତାରିଖ ସୁଦ୍ଧା ସରକାର ଯଦି ଭତ୍ତା ବୃଦ୍ଧି ନକରନ୍ତି ତାହେଲେ ହିତାଧିକାରୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହାସଂଘର ଆବାହକ ମାନସ ପ୍ରଧାନ କହିଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ମାସର ୧୫ ତାରିଖରେ ଭତ୍ତା ଟଙ୍କା ପ୍ରଦାନ କରାଯିବା, ଭତ୍ତା ଟଙ୍କା ବ୍ୟାଙ୍କକୁ ନ ପଠାଇ ପୂର୍ବପରି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ପ୍ରତ୍ୟେକ ୱାର୍ଡରେ ପ୍ରଦାନ କରାଯିବା, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବାକୁ ଦାବି କରାଯାଇଛି। ଏହି ବିକ୍ଷୋଭକୁ ସାମାଜିକ କର୍ମୀ ଶିବ ନାରାୟଣ ଦେଓ ପରିଚାଳନା କରିଥିଲେ।