ବାଲେଶ୍ୱର : ଡିଜିଟାଲ ଆପ୍‌ ମାଧ୍ୟମରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଶତାଧିକ ନିବେଶକାରୀଙ୍କୁ ଚୂନ ଲଗାଇଥିବା ଠକସଂସ୍ଥା ‘କ୍ରାଉଡ୍‌ ଫର୍ଟ’ର ବ‌ାଲେଶ୍ବର ମୁଖ୍ୟ ନିଲେଶ କରଙ୍କୁ ଆଜି କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି।

Advertisment

ବାଲେଶ୍ବର ସହର ଫକୀରମୋହନ ଗୋଲେଇ ନିକଟରେ କିଛିମାସ ତଳେ ଏହି ସଂସ୍ଥା ତା’ର କାର୍ଯ୍ୟାଳୟ ଖୋଲିଥିଲା। ସଂସ୍ଥାର ବାଲେଶ୍ବର ମୁଖ୍ୟ ନିଲେଶ ‘କ୍ରାଉଡ୍‌ ଫର୍ଟ’ ନାଁରେ ଏକ ଡିଜିଟାଲ ଆପ୍‌ ଖୋଲି ସେଥିରେ ପୁଞ୍ଜିନିବେଶ କଲେ ନିବେଶକାରୀଙ୍କ ଲାଭ ବହୁଗୁଣିତ ହେବ ଏବଂ ନେଟ୍‌ୱାର୍କିଂ ଜରିଆରେ ଆହୁରି ଅଧିକ ଅର୍ଥ ମିଳିବ ବୋଲି ଲୋଭ ଦେଖାଇଥିଲେ। ତାଙ୍କ କଥାରେ ପଡ଼ି ବହୁଲୋକ ସେଥିରେ ପୁଞ୍ଜିନିବେଶ ମଧ୍ୟ କରିଥିଲେ। ତେବେ, ଏହା ଏକ ଠକସଂସ୍ଥା ବୋଲି ଜାଣିବାପରେ ଅନେକ ଜମାକାରୀ ଟଙ୍କା ଫେରାଇ ନେବାକୁ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ, ଦେଖାହେବା ଦୂରେ ଥାଉ, ନିଲେଶଙ୍କ ସହ କାହାର ଯୋଗାଯୋଗ ମଧ୍ୟ ସମ୍ଭବ ହୋଇନଥିଲା। ପରେ ସେଠାରୁ ଅଫିସ୍‌ର ସାଇନ୍‌ବୋର୍ଡ ଉଭାନ୍ ହୋଇଯିବାରୁ ‌ସନ୍ଦେହ ବଢ଼ିଥିଲା।

ଏହାପରେ ପୁଞ୍ଜି ନିବେଶକାରୀମାନେ ପ୍ରଥମେ ସାଇବର ଥାନା ଓ ପରେ କ୍ରାଇମବ୍ରାଞ୍ଚ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେସ୍ ନଂ ୧୫/୨୩, ଆଇପିସି ୪୨୦ , ୪୬୭, ୪୬୮, ୪୭୧, ୧୨୦ (ଖ), ଆଇଟି ଧାରା ୬୬ ଓ ଚିଟ୍‌ଫଣ୍ଡ ଆଇନ୍‌ ଧାରା ୬ରେ ମାମଲା ରୁଜୁ ହୋଇଥିଲା। ଶେଷରେ, ବାଲେଶ୍ୱର ଅଙ୍ଗାରଗଡ଼ିଆ ବିକାଶନଗର ଅଞ୍ଚଳରେ ରହୁଥିବା ନିଲେଶ କରଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ କରି ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଠକେଇର ସମ୍ପୂର୍ଣ୍ଣ ଆକଳନ ହୋଇନାହିଁ, ଅନୁସନ୍ଧାନ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ‌୍ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ନିଲେଶକୁ ୫ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ସୂଚନା ଦେଇଛନ୍ତି।