ସୁନ୍ଦରଗଡ଼ ଜଙ୍ଗଲରେ ନୀଳଗାଈ

୧ ଛୁଆ ସହ ୧୦ ନୀଳ ଗାଈ, ବିଶ୍ରା ରେଞ୍ଜ୍‌ ଅନ୍ତର୍ଗତ ବାଗଡ଼େଗା ଜଙ୍ଗଲରେ ରହୁଛନ୍ତି

ରାଉରକେଲା: ପ୍ରାୟ ତିନି ବର୍ଷ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଓଡ଼ିଶାର ପ୍ରଥମ କଳା ବାଘ ଦେଖିବାକୁ ମିଳିଥିଲା। ଏବେ ଏଭଳି ଏକ ବିରଳ ପ୍ରଜାତିର ବନ୍ୟଯନ୍ତୁ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି। ରାଉରକେଲା ବନଖଣ୍ଡ ଅଧିନସ୍ଥ ବିଶ୍ରା ରେଞ୍ଜ୍‌ର ବାଗଡେଗା ସଂରକ୍ଷିତ ଜଙ୍ଗଲରେ ‘ନୀଳ ଗାଈ’ ଦେଖିବାକୁ ମିଳିଛି। ଏହା ହେଉଛି ଓଡ଼ିଶାରେ ପ୍ରଥମ। ଅପରପକ୍ଷରେ ଏହି ବିରଳ ନୀଳ ଗାଈକୁ ସୁରକ୍ଷିତ କରିବାକୁ ବନ କର୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଦେଇଥିବା ଜଣାପଡ଼ିଛି।

ବାଗଡ଼େଗା ସଂରକ୍ଷିତ ଜଙ୍ଗଲ ପ୍ରାୟ ୪୩୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହି ଜଙ୍ଗଲ ହେଉଛି ସଂପୂର୍ଣ୍ଣ ସମତଳ ବିଶିଷ୍ଟ। ଏହି ଜଙ୍ଗଲ ଚାରିପାଖରେ ବାଗଡ଼େଗା ସମେତ ଖଏରଟୋଲା, ଜାମବେର୍ଣ୍ଣା, ଟାଙ୍ଗରପଲ୍ଲୀ, ଗର୍‌ଦା, ରେଳାପୋଷ, ବାଗଡ଼େଗା ଓ ମଣ୍ଡପ ଗାଁ ଅବସ୍ଥିତ। ପ୍ରାୟ ସମୟରେ ଗାଁ ଲୋକ ଜଙ୍ଗଲକୁ ଯିବାଆସିବା କରିଥାନ୍ତି। ଏହି କ୍ରମରେ ପ୍ରାୟ ୪ ବର୍ଷ ପୂର୍ବେ ଏହି ଜଙ୍ଗଲରେ ଦୁଇଟି ନୀଳ ଗାଈକୁ ଗାଁ ଲୋକ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗ ସେଠାରେ ପହଞ୍ଚି ନୀଳ ଗାଈର ଉପସ୍ଥିତିକୁ ସ୍ପଷ୍ଟ କରିଥିଲେ। ତେବେ ଏହି ନୀଳ ଗାଈ ନିର୍ଦ୍ଦିଷ୍ଟଭାବେ କେଉଁ ଅଞ୍ଚଳରୁ ଆସିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମ୍ଭବତଃ ଏହା ଝାଡ଼ଖଣ୍ଡରୁ ଆସିଥିବା ବନ ବିଭାଗ ଆକଳନ କରୁଛି। ଇତିମଧ୍ୟରେ ନୀଳ ଗାଈର ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିମଧ୍ୟରୁ ଗୋଟିଏ ଛୋଟ ନୀଳ ଗାଈ ରହିଛି। ପ୍ରାୟ ୩ ସପ୍ତାହ ପୂର୍ବେ ଏକ ନବଜାତ ନୀଳ ଗାଈ ଜଙ୍ଗଲ ପାଦ ଦେଶରେ ଥିବା ଘୋଡ଼ାବନ୍ଧ ଗାଁକୁ ପଶିଆସିଥିଲା। ଗୋଷ୍ଠି ଛଡ଼ା ହୋଇ ଜଙ୍ଗଲକୁ ଯାଇଥିବା ଗାଈ ପଲ ସହ ଏହି ନୀଳ ଗାଈ ଛୁଆ ପଲାଇଆସିଥିଲା। ପରେ ବନ କର୍ତୃପକ୍ଷ ହସ୍ତକ୍ଷେପ କରି ତାକୁ ସୁରକ୍ଷିତଭାବେ ଜଙ୍ଗଲରେ ଛାଡ଼ିଥିଲେ। ସେବେଠାରୁ ଏହି ବିରଳ ପ୍ରଜାତିର ବନ୍ୟ ଯନ୍ତୁକୁ ସୁରକ୍ଷିତ ରଖିବାକୁ ବନ କର୍ତୃପକ୍ଷ ଏକାଧିକ ପଦକ୍ଷେପ ନେଇଚାଲିଛନ୍ତି। ଏହାସହ ଜଙ୍ଗଲ ପାର୍ଶ୍ବାଞ୍ଚଳ ଗ୍ରାମବାସୀଙ୍କୁ ନୀଳ ଗାଈର ମହତ୍ତ୍ବ ଉପରେ ସଚେତନ କରାଯାଇଛି।

ନୀଳ ଗାଈର ଆବଶ୍ୟକତା ସବୁ ଏହି ଜଙ୍ଗଲରେ ମହଜୁଦ ରହିଛି। ପ୍ରାୟତଃ ସମତଳ ଜଙ୍ଗଲରେ ନୀଳ ଗାଈ ରହୁଥିବାବେଳେ ଘାସ ହେଉଛି ଏମାନଙ୍କର ଖାଦ୍ୟ। ଏହି ଦୁଇ ଆବଶ୍ୟକତା ଏହି ଜଙ୍ଗଲରେ ଉପଲବ୍ଧ ଥିବାରୁ ନୀଳ ଗାଈ କେବଳ ଜଙ୍ଗଲ ଭିତରେ ନିଜକୁ ସୀମିତ ରଖିଛନ୍ତି। ଏନେଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତି, ନୀଳ ଗାଈ ଉପରେ ବିଭାଗର ତୀକ୍ଷ୍‌ଣ ନଜର ରହିଛି। ସେମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ନୀଳ ଗାଈ କୌଣସି ପ୍ରକାର ଉପଦ୍ରବ କରିନାହାନ୍ତି। ଏମାନେ କେବଳ ଜଙ୍ଗଲ ଭିତରେ ବିଚରଣ କରୁଥିବାବେଳେ ଗାଁ ଠାରୁ ବି ଦୂରେଇ ରହୁଛନ୍ତି। ଏମାନଙ୍କର ଗତିବିଧି ଉପରେ ଦୃଷ୍ଟି ରଖିବାକୁ ଖୁବଶୀଘ୍ର ଟ୍ରାପ୍‌ କ୍ୟାମେରା ଖଞ୍ଜାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର