ରୁଦ୍ରରଞ୍ଜନ ଶେଜପଡ଼ା
ବାଲେଶ୍ବର: ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ନିମନ୍ତେ ସେପ୍ଟେମ୍ବର ୨୮ ତାରିଖରେ ସଂସଦରେ ମହିଳା ଆରକ୍ଷଣ ବିଲ୍ ପାରିତ ହୋଇଛି। ଏହା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀକୁ ନେଇ ଅଧିକ ଚର୍ଚ୍ଚା। କାରଣ ଦୀର୍ଘ ୬୮ ବର୍ଷର ରାଜନୈତିକ ଇତିହାସରେ ଏଠାରୁ ମାତ୍ର ୩ ଜଣ ମହିଳା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କେହି ହେଲେ ବିଜୟର ସ୍ବାଦ ଚାଖି ପାରିନାହାନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀ ଗଠନ ପରେ ୧୯୫୧ ମସିହାରେ ପ୍ରଥମ ନିର୍ବାଚନ ହୋଇଥିଲା। ଏବେ ସୁଦ୍ଧା ମୋଟ ୧୬ ଥର ନିଜ ପସନ୍ଦର ବିଧାୟକ ବାଛିବାର ସୁଯୋଗ ପାଇଛନ୍ତି ନୀଳଗିରିବାସୀ। ୧୯୫୧ ଓ ୧୯୫୭ରେ କଂଗ୍ରେସ ଟିକେଟ୍ରେ ନୀଳାମ୍ବର ଦାସ, ୧୯୬୧ରେ ଗଣ ପରିଷଦ ଓ ୧୯୭୭ରେ ଜେଏନ୍ପି ଟିକେଟ୍ରେ ମର୍ଦ୍ଦରାଜ ହରିଚନ୍ଦନ ରାଜା ରାଜେନ୍ଦ୍ର ଚନ୍ଦ୍ର, ୧୯୬୭ ଓ ୧୯୭୧ରେ ସିପିଏମ୍ର ବନମାଳି ଦାସ, ୧୯୭୪ରେ କଂଗ୍ରେସର ଶୈଲେନ ମହାପାତ୍ର, ୧୯୮୦ରେ ଆଇଏନ୍ସି (ଆଇ) ଓ ୧୯୯୫ରେ ଆଇଏନ୍ସି ଟିକେଟ୍ରେ ଅକ୍ଷୟ କୁମାର ଆଚାର୍ଯ୍ୟ, ୧୯୮୫ରେ କଂଗ୍ରେସର ସୁକୁମାର ନାୟକ, ୧୯୯୦ରେ ସ୍ବାଧୀନ ଭାବେ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ୧୯୯୫ରେ କଂଗ୍ରେସର ଅକ୍ଷୟ କୁମାର ଆଚାର୍ଯ୍ୟ, ୨୦୦୦ରେ ସିପିଏମ୍ର ପ୍ରଦୀପ୍ତ ପଣ୍ଡା, ୨୦୦୪ରେ ବିଜେପି ଟିକେଟ୍ ଓ ୨୦୦୯ରେ ସ୍ବାଧୀନ ଭାବେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ୨୦୧୪ରେ ବିଜେଡି ଓ ୨୦୧୯ରେ ବିଜେପି ଟିକେଟ୍ରେ ସୁକାନ୍ତ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ୧୯୫୧ରୁ ୨୦୧୯ ମସିହା ମଧ୍ୟରେ କେହି ଜଣେ ହେଲେ ମହିଳା ବିଧାୟକ ଏଠାରୁ ନିର୍ବାଚିତ ହୋଇନାହାନ୍ତି। ଏବେ ସୁଦ୍ଧା ମାତ୍ର ୩ ଜଣ ନିର୍ବାଚନରେ ଯାହା ଭାଗ୍ୟ ହିଁ ପରୀକ୍ଷା କରିଛନ୍ତି।
୨୦୦୦ ଓ ୨୦୦୪ରେ ସୁନୀତି ସିଂ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ୨୦୧୪ରେ ବିଜେପିର ସୁଷମା ବିଶ୍ବାଳ ଓ ୨୦୧୯ରେ କଂଗ୍ରେସର ରାଣୀ ମନୋଜା ମଞ୍ଜରୀ ଦେବୀ ନିର୍ବାଚନ ଲଢ଼ିଥିଲେ। ସବୁଠାରୁ ବଡ଼ କଥା ହେଲା, କେବଳ ବିଜେପି ଓ କଂଗ୍ରେସ ମାତ୍ର ଥରେ ଲେଖା ମହିଳାଙ୍କ ଉପରେ ଭରସା କରିଛନ୍ତି। ଫଳସ୍ବରୂପ ସ୍ବାଧୀନ ପ୍ରାର୍ଥୀ ଭାବେ ସୁନୀତିଙ୍କୁ ଦୁଇଥର ଦେଖିବାକୁ ମିଳିଛି। ତେବେ ଖାଲି ରାଜନୈତିକ ଦଳ ତା ନୁହେଁ; ନୀଳଗିରିର ଭୋଟର ମଧ୍ୟ ମହିଳା ପ୍ରାର୍ଥୀଙ୍କ ଦକ୍ଷତା ଉପରେ ହୁଏତ ସନ୍ଦେହ ପ୍ରକାଶ କରିଛନ୍ତି। ସୁନୀତି ଦୁଇଟି ନିର୍ବାଚନରେ ଯଥାକ୍ରମେ ୧୭୭୭ ଓ ୧୩୮୨ ଏବଂ ମନୋଜା ମଞ୍ଜରୀ ଦେବୀ ୧୨,୪୧୩ ଭୋଟ୍ ପାଇବା ଏହାର ଉଦାହରଣ। ବିଜେପି ହାୱା ଯୋଗୁଁ ସୁଷମା ୩୬,୮୧୪ ଭୋଟ୍ ହାତେଇବାକୁ ସକ୍ଷମ ହୋଇଥିଲେ। ଉଲ୍ଲେଖ ଥାଉକି, ଆସନ୍ତା ସାଧାରଣ ନିର୍ବାଚନ ମଇଦାନରେ ଦୁଇଜଣ ମହିଳାଙ୍କୁ ଦେଖିବାକୁ ମିଳିପାରେ। ଜଣେ ମନୋଜା ମଞ୍ଜରୀ ଦେବୀ ଓ ଅନ୍ୟ ଜଣେ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ। ମନୋଜା ମଞ୍ଜରୀ କଂଗ୍ରେସ ଟିକେଟ୍ରେ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଶୁଭଲକ୍ଷ୍ମୀ ବିଜେଡି ଟିକେଟ୍ ଲବିରେ ଅଛନ୍ତି। ତେବେ ଯେଇଁ ମାଟିରେ ମହିଳା ସଶକ୍ତୀକରଣ ପାଇଁ ବ୍ୟାସକବି ଫକୀରମୋହନ ‘ରେବତୀ ପରି ବୈପ୍ଳବିକ କାହାଣୀ ଲେଖିଛନ୍ତି, ସେହି ମାଟିରେ ମହିଳାମାନଙ୍କ ନଗଣ୍ୟ ରାଜନୈତିକ ଅଂଶଗ୍ରହଣ ଗଣତନ୍ତ୍ର ପାଇଁ ବଡ଼ ପ୍ରଶ୍ନବାଚୀ। ଏହା ଆଶା କରାଯାଇପାରେ, ମହିଳା ସଂରକ୍ଷଣ ଆଇନ ନିର୍ବାଚନରେ କାର୍ଯ୍ୟକାରୀ ହେଲେ ସ୍ଥିତିରେ ସୁଧାର ଆସିବ।