ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା : ନୀଳଗିରି ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କୁ ବଦଳି

ଭୁବନେଶ୍ବର : ନୀଳଗିରିର ସମ୍ବାଦ ତଥା କନକ ଟିଭି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ପୁଲିସର ଅମାନୁଷିକ ଅତ୍ୟାଚାରକୁ ନେଇ ସବୁ ମହଲରେ ବିରୋଧ ପ୍ରକାଶ ପାଇବା ପରେ ପୁଲିସ ପ୍ରଶାସନ ପକ୍ଷରୁ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏ ସମ୍ପର୍କରେ ପୂର୍ବାଞ୍ଚଳ ରେଞ୍ଜ୍ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ତେବେ ସଂପୃକ୍ତ ଆଇଆଇସିଙ୍କୁ ନିଲମ୍ବନ କରିବା ବଦଳରେ କେବଳ ବଦଳି କରାଯିବାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏସବୁ ଭିତରେ ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଘଟଣା ସଂପର୍କରେ ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଞ୍ଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି ଏବଂ ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ନୀଳଗିରି ପୁଲିସ ପକ୍ଷରୁ ସାମ୍ବାଦିକ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାକୁ ଏଡିଟର୍ସ ଗିଲଡ ପକ୍ଷରୁ ନିନ୍ଦା କରି ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଛି । ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି ।

ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପୁଲିସ୍ ଦ୍ୱାରା ଅମାନୁଷିକ ଭାବରେ ଅତ୍ୟାଚାରିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି କିଛି ସମୟ ପୂର୍ବରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଉଚ୍ଚ ରକ୍ତଚାପ ଓ ଡାଏବେଟିସରେ ଦେଖାଦେବା ଓ ଜ୍ୱର ଲାଗି ରହିବା କାରଣରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି । ଏଥିସହ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ତିନିଦିନ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର