ବିକାଶରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପ୍ରଦୀପ

ନୀଳିମାରାଣୀ ସାମନ୍ତଙ୍କ ୯୪ତମ ଜୟନ୍ତୀ

ଭୁବନେଶ୍ବର : କଟକ ଜିଲ୍ଲା କଲରାବାଙ୍କ ସ୍ମାର୍ଟ ଗ୍ରାମରେ ଆଜି ମାଣପୁର ମଡେଲ୍‌ ପଞ୍ଚାୟତର ମିସନ୍‌ ଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଏଥିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଲରାବାଙ୍କ ସ୍ମାର୍ଟଗ୍ରାମ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

 ଅରୁନ୍ଧତୀ ଦେବୀ ଓ ଝାନ୍‌ସୀ ସିଂହଙ୍କୁ ‘ନୀଳିମାରାଣୀ ସମାଜସେବା ସମ୍ମାନ’
କଲରାବାଙ୍କରେ ମିସନ ଶକ୍ତି ଗୃହ ଉଦ୍‌ଘାଟିତ

ଏହି ଅବସରରେ ନୀଳିମାରାଣୀ ସ୍ମାରକୀ ସେବା ନ୍ୟାସ ପକ୍ଷରୁ ସ୍ୱର୍ଗତ ନୀଳିମାରାଣୀ ସାମନ୍ତଙ୍କ ୯୪ତମ ଜୟନ୍ତୀ ଉତ୍ସବ ‘ନୀଳିମା ଉତ୍ସବ-୨୦୨୨’ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ଅମାତ କହିଲେ, ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ମହିଳାଙ୍କ ସହଯୋଗ ନ ରହିଲେ ଉନ୍ନତି ଅସମ୍ଭବ। କଲରାବାଙ୍କ ସ୍ମାର୍ଟଗ୍ରାମ ଏବଂ ମାଣପୁର ମଡେଲ ପଞ୍ଚାୟତ, ଏହାର ଉଦାହରଣ। ନୀଳିମାରାଣୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ମହିଳାଙ୍କ ଯୋଗୁଁ ଆଜି ଏହା ସମ୍ଭବ ପାରିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଓ ଝାନ୍‌ସୀ ସିଂହଙ୍କୁ ‘ନୀଳିମାରାଣୀ ସମାଜସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନ ସ୍ୱରୂପ ମାନପତ୍ର, ଉପଢ଼ୌକନ ସହ ୫୦ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନୀଳିମାରାଣୀ ସ୍ମାରକୀ ସେବା ନ୍ୟାସର ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ, କଲରାବାଙ୍କ ଗ୍ରାମ କମିଟିର ସଭାପତି ଅଞ୍ଜନ ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ ଓ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ପଂଚାୟତ ପ୍ରତିନିଧି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୧ଶହ ବର୍ଗଫୁଟ୍‌ ବିଶିଷ୍ଟ ଏହି ଗୃହ ନିର୍ମାଣରେ ମୋଟ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ଦେଇଥିବା ବେଳେ ଶ୍ରୀ ସାମନ୍ତଙ୍କ ପରାମର୍ଶକ୍ରମେ କିଟ୍ ବିଶ୍ୱବିଦ୍ୟାଳୟ ସିଏସ୍‌ଆର ପକ୍ଷରୁ ବାକି ୪୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ମିସନ୍‌ ଶକ୍ତି ଗୃହରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି।

ସମ୍ବନ୍ଧିତ ଖବର