ନିମାପଡ଼ା: ନିମାପଡ଼ା ବିଧାନସଭା ଆସନ ଟିକେଟ ବଣ୍ଟାକୁ ନେଇ ବିଜେଡି କନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳ ଦିଲୀପ ନାୟକଙ୍କୁ ଟିକେଟ ଦେବା ପରେ ଏହାର ଖୋଲା ବିରୋଧ କରିଛନ୍ତି ବିଧାୟକ ସମୀର ରଞ୍ଜନ ଦାଶ ଓ ତାଙ୍କ ସମର୍ଥକ। ଆଜି ଅପରାହ୍ଣରେ ସମୀର ଓ ତାଙ୍କ ସମର୍ଥକ ନିମାପଡ଼ା ବାରବାଟୀ ପଡ଼ିଆରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ ପୂର୍ବକ ପ୍ରତିବାଦ ଜଣାଇଛି ଓ ଟିକେଟର ପୁନଃବିଚାର ଦାବି କରିଛନ୍ତି। ବିଧାୟକ ସମୀର ଦାଶ ଏଥିରେ ଯୋଗଦେଇ ଟିକେଟର ପୁନଃବିଚାର କରାନଗଲେ ଆମେ ଆମର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବୁ ବୋଲି ସିଧାସଳଖ କହିଛନ୍ତି।
ପୂର୍ବ ନିଷ୍ପତ୍ତିକ୍ରମେ ଆଜି ସମୀରଙ୍କ ସମର୍ଥକ ହଜାର ହଜାର ନେତା ଓ କର୍ମୀଙ୍କୁ ଏକାଠି କରି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଟିକେଟ ବଣ୍ଟନର ପୁନଃବିଚାର ପାଇଁ ଦାବି କରିଛନ୍ତି। ଆଜିର ଏହି ସଭାରେ ନିମାପଡ଼ା ବ୍ଲକ୍ ବିଜେଡି ସଭାପତି ଅଶୋକ କୁମାର ସାହୁ, ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର ପ୍ରମୁଖ ଦିଲୀପଙ୍କୁ ଟିକେଟ ପ୍ରଦାନ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ନିମାପଡ଼ାରେ ବିଜେଡିକୁ ଠିଆ କରିଥିବା ଓ ୩୦ ବର୍ଷ ଧରି ସଂଗଠନ କରି ଆସୁଥିବା ସମୀର ଦାଶଙ୍କୁ ଟିକେଟରୁ ବଞ୍ଚିତ କରାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି। ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ସମୀର ଦାଶଙ୍କୁ ଚାହେ। ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନୁ ମଲିକ, ଗୋପ ବ୍ଲକ୍ ବିଜେଡି ସଭାପତି ମଧୁସୂଦନ ପାଇକରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟେଇ, ରବୀନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଦିଲୀପ କଂଗ୍ରେସରୁ ଟିକେଟ ପାଇ ନିମାପଡ଼ା ଆସନ ପାଇଁ ଲଢ଼ି ପ୍ରାୟ ୩୪ହଜାର ଭୋଟ୍ ପାଇଥିଲେ। ପରେ ସେ ବିଜେପିରେ ମିଶିଥିଲେ। କିନ୍ତୁ ସେଠାରୁ ନିରାଶ ହେବା ପରେ ସେ ବିଜେଡିରେ ମିଶିଛନ୍ତି। ବିଜେଡି ତାଙ୍କୁ ନିରାଶ ନ କରି ଲଢ଼ିବାକୁ ସୁଯୋଗ ଦେଇଛି।