ନିମାପଡ଼ାର ଗଣଦୁଷ୍କର୍ମ ମାମଲା: ୩୦ ଦିନ ମଧ୍ୟରେ ହେବ ଚାର୍ଜସିଟ୍‌

ପୀଡ଼ିତାକୁ ଭେଟିଲେ ମହିଳା କମିସନ ଅଧ୍ୟକ୍ଷା

ନିମାପଡ଼ା : ଗତ ୧୨ ତାରିଖ ରାତିରେ ସ୍ଥାନୀୟ କୁଶଭଦ୍ରା ନଦୀ ବନ୍ଧରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ କରାଯାଇ ୩୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ। ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର।

ନିମାପଡ଼ା ପୁଲିସର କହିବାନୁଯାୟୀ; ଏହି ମାମଲା ବିଚାରାଳୟରେ ଶୀଘ୍ର ବିଚାର ହେବ ଏବଂ ଅଭିଯୁକ୍ତମାନେ ଯେପରି ଦଣ୍ଡ ପାଇବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁଲିସ ୧୩ ତାରିଖରେ ପୀଡ଼ିତା ମହିଳାଙ୍କଠାରୁ ଅଭିଯୋଗ ପାଇବାର ୬ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ୪ ଜଣ ଯୁବକ ବଳରାମ ଭୋଇ, ଅନ୍ଦିତ ଦାସ, କହ୍ନେଇ ଭୋଇ, ବିଦ୍ୟାଧର ସ୍ବାଇଁଙ୍କୁ କଡ଼ା ପୁଲିସ ପ୍ରହରାରେ ନିଆଯାଇ ପୁଲିସ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରିବାପରେ ଆଜି କୋର୍ଟ ଚାଲଣ କରାଯାଇଛି।

ଅନ୍ୟପକ୍ଷରେ ଦୁଷ୍କର୍ମର ଶିକାର ହୋଇ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ମହିଳାଙ୍କୁ ଆଜି ଅପରାହ୍ନରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଭେଟିଛନ୍ତି। ଘଟଣା ସଂପର୍କରେ ସେ ପୀଡ଼ିତାଙ୍କଠାରୁ ପଚାରି ବୁଝିଛନ୍ତି। ଏହାପରେ ସେ ପୀଡ଼ିତା ରହୁଥିବା ଭଡ଼ାଘର ଏବଂ ଘଟଣା ଘଟିଥିବା କୁଶଭଦ୍ର ନଦୀବନ୍ଧ ଅଞ୍ଚଳକୁ ଯାଇଥିଲେ। ସେଠାରୁ ନିମାପଡ଼ା ଥାନାକୁ ଯାଇ ମାମଲା ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର