ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ନିମବାହାଳି ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ରୁ ଗତ ଡିସେମ୍ବର ୧୪ ତାରିଖ ରାତିରେ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ସିଂହଭାଗ ଅର୍ଥ ନେଇ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ପୁଲିସ୍ ଜାଲରେ ଧରାପଡିଛି।
ଦୀର୍ଘ ଏକ ମାସ ପରେ ବାଲେଶ୍ୱର ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ତା’ଠାରୁ ନଗଦ ୫ ଲକ୍ଷ ୮୨ହଜାର ୪୦୦ ଟଙ୍କା, ଏକ ଆପଲ୍ ଆଇଫୋନ୍, ଦୁଇଟି ଆଣ୍ଡ୍ରଏଡ୍ ମୋବାଇଲ୍, ୩ଟି କିପ୍ୟାଡ୍ ମୋବାଇଲ୍, ୨୦.୨୫୦ ଗ୍ରାମର ସୁନା ଅଳଙ୍କାର, ଯାହାର ମୂଲ୍ୟ ୧ଲକ୍ଷ ୧୫ ହଜାର ୭୦୦ଟଙ୍କା ଏବଂ ଆଧାର କାର୍ଡ, ଭିଜିଟିଂ କାର୍ଡ ଆଦି ଜବତ କରାଯାଇଥିବା ଏସ୍ପି କେ.ଶିବା ଶୁଭ୍ରମଣି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତର ନାମ, ଠିକଣା ଏବଂ ତାକୁ କିପରି କେଉଁ ଅବସ୍ଥାରେ ଧରାଗଲା ସେ ସଂପର୍କରେ ସୂଚନା ଦେବା ପାଇଁ କଟକଣା ଲଗାଯାଇଥିବା ଏସ୍ପି ଶ୍ରୀ ଶୁଭ୍ରମଣି କହିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତର ନାମ ସତ୍ୟବ୍ରତ ନାୟକ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
ପାଠ ଅଷ୍ଟମ, ଦିମାକ୍ ଇଞ୍ଜିନିୟର
ମୋଟଙ୍ଗା ଥାନା ନିମବାହାଳି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ରୁ ଯେଉଁ ଦୁଇ ଜଣ ମାଷ୍ଟରମାଇଣ୍ଡ୍ ୨୬ଲକ୍ଷ ୫୬ହଜାର ଟଙ୍କା ଲୁଟି ନେଇଥିଲେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ମାତ୍ର ଅଷ୍ଟମ। କିନ୍ତୁ, ଏତିକି ପାଠପଢ଼ାରେ ସେମାନେ ଯେଉଁ ବୁଦ୍ଧି ଏବଂ ସାହସ ଖଟାଇ କେଇଟା ମିନିଟ୍ରେ ପୂରା ଏଟିଏମ୍କୁ ଖୋଳ କରି ଚାଲିଗଲେ, ତାହା କୌଣସି ଇଞ୍ଜିନିୟରଠାରୁ କମ୍ ନୁହେଁ। ଯାହା ସମସ୍ତଙ୍କୁ ଚକିତ କରିଛି। ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ବନ୍ଧା ହୋଇଥିବା ମାଷ୍ଟରମାଇଣ୍ଡ୍ ଏବଂ ତାଙ୍କ ସହଯୋଗୀଙ୍କ ଘର ବାଲେଶ୍ବର ଇଲାକାରେ। ଦୁହିଁଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ। ପୂର୍ବ ଯୋଜନା ମୁତାବକ, ସିସିଟିଭି କ୍ୟାମେରାର ତାର ଛିଣ୍ଡାଇବାଠାରୁ ଆରମ୍ଭ କରି ଗ୍ୟାସ୍ କଟରରେ ଏଟିଏମ୍ କାଟିବା ପର୍ଯ୍ୟନ୍ତ ସବୁ ଗୋଟିଏ ପରେ ଗୋଟିଏ କାମ ହୋଇଥିଲା। ସବୁ କୌଶଳ ଖଟାଇ ଏଟିଏମ୍ କାଟିବା ପରେ ଏଟିଏମ୍ରୁ କ୍ୟାସ୍ ଟ୍ରେ ବାହାର କରି ବ୍ୟାଗ୍ରେ ମାଷ୍ଟରମାଇଣ୍ଡ୍ ଏବଂ ତା’ର ସହଯୋଗୀ ଟଙ୍କା ସବୁ ଭର୍ତ୍ତି କରିଥିଲେ। ଉଭୟ ଟଙ୍କା ନେଇ ଜାତୀୟ ରାଜପଥ ଅଭିମୁଖେ ଚାଲିଚାଲି ଯାଇଥିଲେ। ନିଜ ଭାଗ ନେଇ ସେଠାରୁ ଉଭୟ ଯୁବକ ନିଜ ନିଜ ବାଟରେ ଯାଇଥିଲେ। ମାଷ୍ଟରମାଇଣ୍ଡ୍ର ସହଯୋଗୀ ରାଜ୍ୟ ବାହାରକୁ ପଳାଇଥିବା ବେଳେ ମାଷ୍ଟରମାଇଣ୍ଡ୍ ନିଜ ଘରକୁ ଯାଇଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।