କଳିଙ୍ଗନଗରରେ ଏନ୍‌ଆଇଏମ୍‌ଜେଡ୍‌ ପ୍ରତିଷ୍ଠା ନୋହିଲା

୨୦୧୯ରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ, ଇଡ୍‌କୋ ପାଖରେ ୩ ବର୍ଷ ହେଲା ଅଟକିଛି ପ୍ରକଳ୍ପ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍‌ (ଏନ୍‌ଆଇଏମ୍‌ଜେଡ୍‌) ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ୨୦୧୯ରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ମଞ୍ଜୁରୀ ଦେଇଥିଲେ। ଏହାମଧ୍ୟରେ ୩ ବର୍ଷ ବିତିଯାଇଛି କିନ୍ତୁ ପ୍ରକଳ୍ପ ନେଇ କୌଣସି ଅଗ୍ରଗତି ହୋଇପାରୁନି। କୁହାଯାଉଛି ଜମି ଯୋଗାଡ଼ରେ ଇଡ୍‌କୋର ବିଫଳତା ପାଇଁ ପ୍ରକଳ୍ପ କାମ ସେଇଠି ଅଟକି ଯାଇଛି।ଇସ୍ପାତ ରାଜଧାନୀରେ ବିକାଶର ସ୍ଥାଣୁତା ନେଇ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ଏଭଳି ବୃହତ୍‌ ପ୍ରକଳ୍ପ ଅଟକି ରହିବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି।

ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍‌ ପ୍ରତିଷ୍ଠା ପାଇଁ ୨୦୧୯ ଜୁନ ୨୮ ତାରିଖରେ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଥିଲେ। ଯୋଜନା କାର୍ଯ୍ୟକ୍ଷମ ହେଲେ ଶିଳ୍ପ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ। ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ ସହିତ ଜାତୀୟ ରାଜପଥ, ରେଳପଥ ଓ ଜଳପଥର ଉନ୍ନତୀକରଣ ହୋଇପାରନ୍ତା। କଳିଙ୍ଗନଗର ଠାରୁ ପାରାଦୀପ, ତାଳଚେର-ଡୁବୁରୀ-ଚଣ୍ଡିଖୋଲ ଏବଂ ଯାଜପୁରରୋଡ୍ ଠାରୁ ପାଣିକୋଇଲି ରାସ୍ତା ଉନ୍ନତୀକରଣ ସହ ପାରାଦୀପ ଓ ଧାମରାବନ୍ଦରର ଉନ୍ନତି ହୋଇଥା’ନ୍ତା। ଅନୁଗୁଳ-ସୁକିନ୍ଦା ରେଳପଥ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ରେଳ ପରିବହନର ସୁବିଧା ହୋଇପାରନ୍ତା। ପ୍ରକଳ୍ପ ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ସହ ନିଯୁକ୍ତି ସୃଷ୍ଟି ହେବାକୁ ଲକ୍ଷ୍ୟ ରହିଥିଲା। ଏହି ପ୍ରକଳ୍ପ ୩ ବର୍ଷ ହେଲା ଅଟକି ରହିବାକୁ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ। ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାର ଉତ୍ତରରେ ୧୧ଟି ଗ୍ରାମର ଜମିଜମି ତଥ୍ୟ ମିଳିବାରେ ବିଳମ୍ବ ଏବଂ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ସମୟ ସାପେକ୍ଷ ହୋଇଥିବା ବେଳେ କୋଭିଡ୍‌ କାରଣରୁ କାର୍ଯ୍ୟରେ ବିଶେଷ ଅଗ୍ରଗତି ହୋଇପାରି ନଥିବା ଦର୍ଶାଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରୀୟ ଅନୁମୋଦନ ମିଳିବା ପରେ ରାଜ୍ୟ ସରକାର ଇଡ୍‌କୋ ଜରିଆରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ବିଜ୍ଞପ୍ତି ପାଇଁ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନଡିଏ)ଙ୍କ ନିକଟରେ ଉପସ୍ଥାପନ ହୋଇଥିଲା। ପ୍ରକଳ୍ପ ଅଞ୍ଚଳରେ ଆସୁଥିବା ୪୩ଟି ଗ୍ରାମର ଜମିଜମା ସମ୍ବନ୍ଧରେ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ କେଏନ୍‌ଡିଏର ତଦନ୍ତକାରୀ ବୋର୍ଡ ମତାମତ ଦେଇଥିଲେ। ଇଡକୋ ଏ ନେଇ ଫିଡ୍‌ବ୍ୟାକ୍ ଇନଫ୍ରାକୁ ଜମିଜମା ସମ୍ବନ୍ଧରେ ତାଲିକା ପ୍ରସ୍ତୁତ ପାଇଁ ଦାୟିତ୍ବ ଦେଇଥିଲା। ତେବେ, ୪୩ଟି ଗ୍ରାମ ମଧ୍ୟରୁ ୧୧ଟି ଗ୍ରାମର ଜମିଜମା ସମ୍ବନ୍ଧୀୟ ତଥ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଲା ନାହିଁ। ଏହି ଗ୍ରାମଗୁଡ଼ିକର ଜମି ସମ୍ବନ୍ଧରେ ତଥ୍ୟ ସଂଗ୍ରହ ପାଇଁ କ୍ଷେତ୍ରୀୟ ସ୍ତରରେ ଅନୁସନ୍ଧାନ କରାଗଲା। ଜମିଜମା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯିବା ପରେ କେଏନ୍‌ଡିଏକୁ ପ୍ରଦାନ କରାଯାଇଛି ବୋଲି ଶିଳ୍ପମନ୍ତ୍ରୀ ଦର୍ଶାଇଛନ୍ତି। ମାତ୍ର, କେଏନ୍‌ଡିଏଙ୍କୁ କାଗଜପତ୍ର ଇଡ୍‌କୋ ଆଜି ପର୍ଯ୍ୟନ୍ତ ପ୍ରଦାନ କରିନାହିଁ ବୋଲି ଜ‌ନୈକ ଅଧିକାରୀ କହିଛନ୍ତି।

ଏହି ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧ଲକ୍ଷ ୬୦ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବା ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି। ଏହାଦ୍ବାରା ୪୦ହଜାର ଏକର ଅଞ୍ଚଳରେ ବିଭିନ୍ନ ଶିଳ୍ପ ଗଢି ଉଠିବ। ନିବେଶ ଓ ଉତ୍ପାଦନ ଜୋନ୍‌ ପାଇଁ ୧୦ହଜାର ୬୨୭କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହା‌ କେବେ କାର୍ଯ୍ୟକାରୀ ହେଉଛି, ତା’ ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର