ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବେ ଓଡ଼ିଶାର ୯ ଶିଳ୍ପୀ

ଭୁବନେଶ୍ବର : ୨୦୧୮ ମସିହାରେ ଜାତୀୟସ୍ତରୀୟ ହସ୍ତଶିଳ୍ପ ପୁରସ୍କାର ଗତ ୧୩ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି। ଏହି ପୁରସ୍କର ପାଇବା ନିମନ୍ତେ ଓଡ଼ିଶାରୁ ୯ ଜଣ ‌ବ୍ୟକ୍ତି ‌ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରେ ରହିଛନ୍ତି ୨ ଜଣ ଶିଳ୍ପଗୁରୁ ପୁରସ୍କାରପ୍ରାପ୍ତ ଶିଳ୍ପୀ।

ତାଳପତ୍ର ଖୋଦେଇ ନିମନ୍ତେ ଖୋର୍ଧା ଜିଲ୍ଲାର ବିଜୟ କୁମାର ପରିଡ଼ା ଓ ପଥର ଖୋଦେଇ ପାଇଁ ବାଲେଶ୍ବର ଜିଲ୍ଲାର ମହେଶ୍ବର ପରିଡ଼ାଙ୍କୁ ‘ଶିଳ୍ପଗୁରୁ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। ସେହିଭଳି ଜାତୀୟ ହସ୍ତଶିଳ୍ପ ପୁରସ୍କାର ନିମନ୍ତେ ୫ ଜଣଙ୍କୁ ଚୟନ କରାଯାଇଛି। ପ୍ରାକୃତିକ ତନ୍ତୁ (ଟସର) କାମ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ରାଜେନ୍ଦ୍ର କୁମାର ମେହେର, ନଡ଼ାଶିଳ୍ପ ପାଇଁ ଢେଙ୍କାନାଳ ଜିଲ୍ଲାର କୁନି ପାତ୍ର, ପଥର ଖୋଦେଇ ଶିଳ୍ପ ପାଇଁ ଯାଜପୁର ଜିଲ୍ଲାର ରଞ୍ଜନ ମହାରଣା, ତାଳପତ୍ର ଖୋଦେଇ ପାଇଁ ଖୋର୍ଧା ଜିଲ୍ଲାର ସନ୍ତୋଷ ସେନାପତି ଓ ଟସର କାର୍ଯ୍ୟ ପାଇଁ ସଂଘମିତ୍ରା ମହାରଣାଙ୍କୁ ମନୋନୀତ କରାଯାଇଛି। ଏହାଛଡ଼ା ଜାତୀୟ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ଖୋର୍ଧା ଜିଲ୍ଲାର ନରେନ୍ଦ୍ର ଭୋଇ ତାଳପତ୍ର ଖୋଦେଇ ଓ ପ୍ରମୋଦ କୁମାର ମହାରଣାଙ୍କୁ ପଥର ଖୋଦେଇ ଶିଳ୍ପରେ ମନୋନୀତ କରାଯାଇଛି।

ଗୋଟିଏ ବର୍ଷରେ ଓଡ଼ିଶାରୁ ହସ୍ତଶିଳ୍ପ କ୍ଷେତ୍ରରେ ଏତେ ସଂଖ୍ୟକ ଜାତୀୟ ପୁରସ୍କାର ପାଇବାର ଦୃଷ୍ଟାନ୍ତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ନାୟକ କୃତୀ ହସ୍ତଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର