ବାରିପଦା : ମାଟ୍ରିକ୍‌ରେ ଚମକିଲେ ୯ ଶିଶୁ ଶ୍ରମିକ

ସମସ୍ତଙ୍କର ନମ୍ବର ୬୦% ଅଧିକ, ଢାବା, ହୋଟେଲରେ କାମ କରୁଥିଲେ

ବାରିପଦା : ୨୦୧୬ ମସିହାରେ ଏ ଛୋଟ ପିଲାମାନେ ରାସ୍ତାକଡ଼ ହୋଟେଲ, ଜଳଖିଆ ଦୋକାନ, ଢାବା ଆଦିରେ ଥାଳି ପ୍ଲେଟ୍‌ ଧୋଉଥିଲେ। ହେଲେ ପଙ୍କରୁ ପଦ୍ମ ଫୁଟିଲା ପରି ଏମାନେ ଆଜି ସମସ୍ତଙ୍କର ଆଖି ଖୋଲି ଦେଇଛନ୍ତି। ସୁବିଧା ସୁଯୋଗ ପାଇଲେ ସେମାନେ ମଧ୍ୟ ସଫଳତାର ଶୀର୍ଷକୁ ଯାଇପାରିବେ, ଏ କଥା କାମରେ କରି ଦେଖାଇଛନ୍ତି। ମହାମାରୀ କରୋନାର ଭୟ ଭିତରେ ଏକଦମ୍‌ ଖୁସି କରିଦେବା ଭଳି ଖବର ଆସିଛି ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରୁ। ୨୦୧୬ରେ ଢାବା, ହୋଟେଲରୁ ଉଦ୍ଧାର ହୋଇଥିବା ୯ ଜଣ ଶିଶୁ ଶ୍ରମିକ ଚଳିତ ମାଟ୍ରିକ୍ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ସେମାନଙ୍କ ପାଖରେ ଯେ ପ୍ରତିଭାର ଊଣା ନ ଥିଲା, ତାହା ଏହି ବାଳକମାନେ ପ୍ରମାଣିତ କରିଛନ୍ତି। ଏସବୁର ଶ୍ରେୟ ମୟୂରଭଞ୍ଜର ତତ୍କାଳୀନ ଲୋକପ୍ରିୟ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ (ମା ମୁଁ କଲେକ୍ଟର ହୋଇଗଲି ପୁସ୍ତକର ଲେଖକ)ଙ୍କର କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

୨୦୧୩-୧୪ ମସିହାରେ ତତ୍କାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଆରମ୍ଭ କରିଥିବା ‘ମୁଁ ବି ପଢ଼ିବି ଯୋଜନାରେ ଏହି ପିଲାମାନଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ସରକାରୀସ୍ତରରେ ମିଳିଥିବା ସହଯୋଗ ଓ ନିଜ ଦୃଢ଼ ଇଚ୍ଛାଶକ୍ତିକୁ ଉପଯୋଗ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ଏହି ୯ ଜଣ ଛାତ୍ର ହେଲେ ଅଜୟ କୁମାର ପାତ୍ର, ଜିତେନ୍ଦ୍ର କୁମାର ନାୟକ, ହେମନ୍ତ କୁମାର ମୁର୍ମୁ, ପାଣ୍ତୁ ସିଂ, ଗୁଜା ମୁର୍ମୁ, ଦୀପୁ ମହାକୁଡ଼, କାର୍ତ୍ତିକ ମହାକୁଡ଼, ଦୁର୍ଗା ମାର୍ଣ୍ତି ଓ ରାଜେଶ ପାତ୍ର। ସଫଳତା ପାଇବା ପରେ ଏହି ପିଲାମାନେ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ, ସର୍ବଶିକ୍ଷା ଅଭିଯାନର ପୂର୍ବତନ ପ୍ରକଳ୍ପ ସଂଯୋଜକ ଦିଗନ୍ତ କୁମାର ରାଉତରାୟ ଓ ବିଶୋଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ନିଜ ହୃଦୟରୁ ଧନ୍ୟବାଦ, କୃତଜ୍ଞତା ଅଜାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର