ନୂଆପଡ଼ାରେ କରୋନାରେ ୯ ମୃତ, ୩୪୦ ପଜିଟିଭ୍‌ ଚିହ୍ନଟ

ନୂଆପଡ଼ା : ରବିବାର ନୂଆପଡ଼ା ଜିଲ୍ଲାରେ ୪ଜଣ ଯୁବକଙ୍କ ସମେତ ୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପଟେ ୪୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ଲହରରେ ଅନେକ ସଂଖ୍ୟାରେ ଯୁବକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ରବିବାର ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ସଙ୍ଗରୋଧରେ ମୃତ୍ୟୁ ହୋଇଛି।

କୋମନା ବ୍ଲକ୍‌ର ୬୨ ବର୍ଷର ବ୍ୟକ୍ତି ଗତ ୨୪ ତାରିଖରେ ଡାକ୍ତରଖାନାରେ‌ ଭର୍ତ୍ତି ହୋଇଥିଲେ, ସେହିଦିନ ତାଙ୍କ ମୃତ୍ୟୁ ହୋଇଛି। କୋମନା ବ୍ଲକ୍‌ ତରବୋଡ଼ ଗ୍ରାମର ୩୯ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି କୋମନା ବ୍ଲକ୍‌ ବେଲରଦନା ଗ୍ରାମର ୩୫ ବର୍ଷିଆ ମହିଳା ରବିବାର ସକାଳେ ପଜିଟିଭ୍‌ ଚିହ୍ନଟ ହୋଇ ଆସିଥିଲେ, ଦିନ ୧୧ଟାରେ ତାଙ୍କ ମୃତ୍ୟୁ ହୋଇଛି। ସିନାପାଲି ବ୍ଲକ୍‌ର ୫୯ ବର୍ଷିୟ ବ୍ୟକ୍ତି ୨୧ ତାରିଖରେ ଚିହ୍ନଟ ହୋଇଥିଲେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଅଞ୍ଚଳର ଜଣ ଯୁବକ ଶନିବାର ସନ୍ଧ୍ୟାରେ ଚିହ୍ନଟ ହୋଇ ନୂଆପଡ଼ା କୋଭିଡ୍‌ ଡାକ୍ତରଖାନାକୁ ଆସିଥିଲେ, ରବିବାର ମଧ୍ୟାହ୍ନରେ ତାଙ୍କ ମୃତ୍ୟୁ ହୋଇଛି। ଗତ ୧୬ ତାରିଖରେ ଚିହ୍ନଟ ହୋଇଥିବା ଖଡ଼ିଆଳ ବ୍ଲକ୍‌ ଗୋଇମୁଣ୍ଡି ଅଞ୍ଚଳର ୫୫ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ବ୍ଲକ୍‌ ସାରାବଙ୍ଗ ଗ୍ରାମର ଜଣେ ବ୍ୟକ୍ତି ୧୭ ତାରିଖ ଦିନ ଚିହ୍ନଟ ହୋଇଥିଲେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ନୂଆପଡ଼ା ଏନ୍‌ଏସି ୱାର୍ଡ ନଂ ୧୩ ମହୁହାଭଟାର ୪୫ ବର୍ଷିୟ ଯୁବକ ୪ଦିନ ତଳେ କୋଭିଡ୍‌ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିଲେ। ରବିବାର ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ହେବାରୁ କୋଭିଡ୍‌ ହସ୍‌ପିଟାଲ୍‌କୁ ତାଙ୍କୁ ନିଆଯାଇଥିଲା, ସେଠାରେ ଅପରାହ୍ନ ୨ଟାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଖଡ଼ିଆଳ ବ୍ଲକ୍‌ ଗଡ଼ରାମୁଣ୍ଡା ଗ୍ରାମର ବୟସ୍କ ବ୍ୟକ୍ତି କରୋନା ଚିହ୍ନଟ ହୋଇ ସଙ୍ଗରୋଧରେ ଥିଲେ। ରବିବାର ତାଙ୍କର ମୃତ୍ୟୁ ହୋଇଛି। ନୂଆପଡ଼ା ଜିଲ୍ଲାରେ ଶନିବାର ୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ରବିବାର ୯ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ଜଣାପଡୁଛି ଯେ ଜିଲ୍ଲାରେ କିପରି କରୋନା ତାର କାୟା ବିସ୍ତାର କରିଚାଲିଛି।

ଗୃହ ସଂଗରୋଧରେ ଚିକିତ୍ସିତ ବୃଦ୍ଧଙ୍କ ମୃତ୍ୟୁ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ଼ରାମୁଣ୍ଡା ଗ୍ରାମର ରବି ବାରିକ ନାମକ ଜଣେ ବୃଦ୍ଧଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହେବା ସହ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। କୋଭିଡ୍‌ ନିୟମ ଅନୁସାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଶେଷକୃତ୍ୟ ସମୟରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର ଡା.ଅର୍ଣ୍ଣଦା ଶଙ୍କର ଦାସ, ସ୍ଥାନୀୟ ସରପଞ୍ଚ ଭଗବତୀ ମୁଣ୍ଡା ଏବଂ ନାଏବ ସରପଞ୍ଚ ବୃନ୍ଦାବନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର