୧୬ରୁ ୯ମ ଶ୍ରେଣୀ କ୍ଲାସରୁମ୍‌ ପାଠପଢ଼ା

ଭୁବନେଶ୍ବର : ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ; ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‌ଇ, ଆଇସିଏସ୍‌ଇ ସମେତ ଅନ୍ୟାନ୍ୟ ବୋର୍ଡ ଅଧୀନରେ ଆସୁଥିବା ବିଦ୍ୟାଳୟଗୁଡ଼ିକରେ ଏହି ନିୟମ ଲାଗୁ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଚାଲିବ। ରବିବାର ଓ ଅନ୍ୟାନ୍ୟ ଛୁଟି ଦିନଗୁଡ଼ିକରେ ପାଠପଢ଼ା ବନ୍ଦ ରହିବ। ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ କ୍ଲାସ୍‌ କରିପାରିବେ। ଅଫ୍‌ଲାଇନ୍‌ ପାଠପଢ଼ାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ନାହିଁ।

ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯେଉଁ ସବୁ ନିୟମାବଳି ଲାଗୁ ହୋଇଛି; ତାହାକୁ ୯ମ ଶ୍ରେଣୀରେ କଡ଼ାକଡ଼ି ପାଳନ କରାଯିବ। ଜୁଲାଇ ୧୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ୯ମ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ହେବ। ସେହିପରି ୯ମ ଶ୍ରେଣୀ ପିଲାଙ୍କ ଲାଗି ୧୬ ତାରିଖଠାରୁ ହଷ୍ଟେଲଗୁଡ଼ିକ ଖୋଲିବ। ଜୁଲାଇ ୨୧ରେ ଜାରି ହୋଇଥିବା ହଷ୍ଟେଲ ନିୟମାବଳି ଏହି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବି ପାଳନ କରାଯିବ। ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏସ୍‌ଆରସିଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି ହେଉଥିବା କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଆଜି ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର