ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ିଲା : ଜଣେ ଯୁବତୀଙ୍କ ସମେତ ୯ ଅଟକ

ପୁରୀ : ଶ୍ରୀମନ୍ଦିରକୁ କେତେ ଯେ ସୁରକ୍ଷା ଦିଆଯାଉଛି ତା’ର ନଗ୍ନ ଉଦାହରଣ ଆଜି ପୁନର୍ବାର ଦେଖିବାକୁ ମିଳିଛି। ବିନା ଅନୁମତିରେ ଆଜି ଅପରାହ୍ନରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଯିବା ସହ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନର ଭିଡିଓ ଓ ଫଟୋ ଉତ୍ତୋଳନ କରାଯାଇଥିଲା। ଖବର ପାଇ ସିଂହଦ୍ବାର ପୁଲିସ ଡ୍ରୋନକୁ ଜବତ କରିବା ସହ ଏହି କାର୍ଯ୍ୟରେ ସଂପୃକ୍ତ ଏକ ଘରୋଇ କମ୍ପାନିର ମୁଖ୍ୟ ଏବଂ ୮ ଜଣ ବଙ୍ଗୀୟ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ବି ଅଛନ୍ତି।

ପୂର୍ବରୁ ଏକାଧିକବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଛି। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନରେ ପଛଘୁଞ୍ଚା ଦେଉଥିବାରୁ ଅନ୍ୟମାନେ ଏଭଳି ସାଂଘାତିକ କାର୍ଯ୍ୟ କରିବାକୁ ସାହସ କରୁଛନ୍ତି। ଏହା ଆତଙ୍କବାଦୀ କାର୍ଯ୍ୟକୁ ବି ପ୍ରଶ୍ରୟ ଦେଉଥିବା ସେବାୟତ ଓ ଭକ୍ତମାନେ ଅଭିଯୋଗ କରିଛନ୍ତି।

ଆଜି ଅପରାହ୍ନ ପ୍ରାୟ ୪ ଟାରେ ଜଣେ ଯୁବତୀ ଓ ୮ଜଣ ଯୁବକ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ଏମାର ମଠ ଉପରୁ ଡ୍ରୋନ୍ ଉଡ଼ାଉଥିବାର ଦେଖିବାକୁ ମିଳିଥିଲା। ରିମୋଟ୍‌ ସାହାଯ୍ୟରେ କାକୁଡ଼ିଖାଇ ମନ୍ଦିରଠାରୁ ସିଂହଦ୍ବାର ଥାନା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଉପରେ ଓ ବାହାରେ ଡ୍ରୋନ୍ ଉଡ଼ାଇଥିଲେ। କିଛି ସେବାୟତ ଓ ସ୍ଥାନୀୟ ଭକ୍ତ ସିଂହଦ୍ବାର ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମଠ ଛାତ ଉପରୁ ସଂପୃକ୍ତ ଯୁବକ ଓ ଯୁବତୀମାନଙ୍କୁ ଧରିବାକୁ ସମର୍ଥ ହୋଇଛି। ଭିଡିଓ ଓ ଫଟୋ ଉତ୍ତୋଳନରେ ବ୍ୟବହୃତ ଡ୍ରୋନ୍‌କୁ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ କମ୍ପାନିର ମୁଖ୍ୟ ଜ୍ୟୋତିଶଙ୍କର ପଣ୍ଡା ଓ ଅନ୍ୟ ୭ଜଣ ଯୁବକଙ୍କୁ ପୁଲିସ ସିଂହଦ୍ବାର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏ ସଂପର୍କରେ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି ଯେ ଅଟକ ବ୍ୟକ୍ତିମାନେ ଏକ ଘରୋଇ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇଛନ୍ତି। ପ୍ରାମାଣିକ ଚଳଚ୍ଚିତ୍ର ସୁଟିଂ ପାଇଁ ଏହି କମ୍ପାନି ଡ୍ରୋନ୍ ଉଡ଼ାଇଥିବା କହିଛି। ତେବେ ଏ ସଂପର୍କରେ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର