ବାଣପୁର/ ନାଚୁଣୀ/ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଓ ବ୍ଲକ୍ ଅଧୀନ ଗମ୍ଭାରିମୁଣ୍ଡା ପଞ୍ଚାୟତର ଗମ୍ଭାରିମୁଣ୍ଡା ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ସୂଚନାରୁ ପ୍ରକାଶ, ଗୁରୁବାର ସକାଳ ୮ଟା ୧୫ରେ ଗମ୍ଭାରିମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବୋହୂ ବବି ପ୍ରଧାନ ରୋଷେଇ ଘରେ ରୋଷେଇ ନିମନ୍ତେ ଗ୍ୟାସ୍ ଲଗାଇବାକୁ ଲାଇଟର୍ ମାରିଥିଲେ। ଏହିସମୟରେ ସିଲିଣ୍ଡର ଲକ୍ ନବ୍ଟି ହଠାତ୍ ବାହାରକୁ ଛିଟିକି ପଡ଼ି ଏଥିରୁ ସୁ ସୁ ଶବ୍ଦ ହୋଇ ଗ୍ୟାସ୍ ଚାରିଆଡ଼କୁ ଖେଳିଯାଇ ନିଆଁ ଧରିଦେଇଥିଲା। ଘରେ ଥିବା ବୋହୂ ଓ ଶାଶୂ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ି ଆସି ବର୍ତ୍ତି ଯିବା ସହ ବଡ଼ପାଟିରେ ସହଯୋଗ ମାଗିଥିଲେ। ଘଟଣା ସମ୍ପର୍କରେ ଶୁଣି କିଛି ଗ୍ରାମବାସୀ ସାହସର ସହ ଜଳନ୍ତା ଘର ମଧ୍ୟରେ ପଶି ଜରୁରି ଜିନିଷପତ୍ର ଉଦ୍ଧାର ପାଇଁ ପ୍ରୟାସ କରିବା ସହ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ପରେ ବାଣପୁର ଅଗ୍ନିଶମ ବାହିନୀ ଓ ଗମ୍ଭାରିମୁଣ୍ଡା ପୁଲିସ ବିଟ୍ ଅଧିକାରୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ଉଦ୍ଧାରକାରୀ ଗ୍ରାମବାସୀଙ୍କ ମଧ୍ୟରୁ କାଳୁଚରଣ ପଣ୍ଡା (୬୦), ବୁଧିଆ ବାରିକ(୪୫), ସମୀର ବରାଳ(୫୦), ପ୍ରମୋଦ ବରାଳ (୩୮) ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରୁ ସସ୍ମିତା ବାରିକ(୪୦), ରଶ୍ମିରଂଜନ ବାରିକ(୨୬), ଜଗା ପଣ୍ଡା(୨୬), ଅମର ପଲାଇ(୨୭), ବୀଣା ପ୍ରଧାନ (୩୫) ଓ ଗୃହକର୍ତ୍ତା ରବୀନ୍ଦ୍ର ପ୍ରଧାନ ଆହତ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ କଟକ ବଡ଼ମେଡ଼ିକାଲ ଅନ୍ୟ ୪ ଜଣଙ୍କୁ ଭୁବନେଶ୍ବରର ଏମ୍ସ ଓ କ୍ୟାପିଟାଲ୍ ହସ୍ପିଟାଲରେ ଜରୁରୀ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଶରୀରର ୭୦ ଭାଗ ଜଳିଯାଇଥିବା ବେଳେ କେତେକଙ୍କ ଶରୀରରୁ ରକ୍ତ ମାଂସ ପୋଡ଼ି ଘଟଣା ସ୍ଥଳରେ ଛିଟିକି ପଡ଼ିଛି।
‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଭୁବନେଶ୍ୱର ଏମ୍ସରେ ବାଣପୁର ଗ୍ୟାସ୍ ସଲିଣ୍ଡର ବିସ୍ଫୋରଣରେ ଗୁରୁତରଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।