ଜୟପୁର : ଜୟପୁର ଓଏସଆରଟିସି ଜୋନ ପ୍ରବାସୀ ଶ୍ରମିକ ପରିବହନ ତେଲ ଟଙ୍କାରେ ହେରଫେର ଏବଂ ବ୍ୟାପକ ଅନିୟମିତତାକୁ ନେଇ ଜୋନକୁ ସାମୟିକ ଭାବେ ବନ୍ଦ ରଖିବାକୁ ପରିଚାଳନା ନିର୍ଦେଶକ ନିର୍ଦେଶ ଦେଇଥିଲେ। ୬୧ଦିନ ଧରି ବନ୍ଦ ରହିବା ପରେ ଗତ ୧ତାରିଖରୁ ଜୋନ କାର୍ଯ୍ୟାଳୟ ସଂପୂର୍ଣ୍ଣ ରୁପେ ଖୋଲିଛି। ପରିଚାଳନା ନିର୍ଦେଶକଙ୍କ ନିର୍ଦେଶରେ ଗତକାଲି ଜିଏମ୍ ଟେକ୍ନିକାଲ ଅମିର ପଟ୍ଟନାୟକ ଜୟପୁର ଜୋନର ୭ଟି ରୁଟର ୧୨ଟି ବସକୁ ଅନରୋଡ କରାଇଥିଲେ। କୋଭିଡ୍ ପରେ ଗତ ୯ମାସ ହେବ ଜୟପୁର ଓଏସଆରଟିସିର ବସ ସେବା ବନ୍ଦ ରହିଥିବା ବେଳେ ଆଜି ପ୍ରଥମ ବସ ଭାବେ ଜୟପୁରରୁ ଭବାନିପାଟଣା ଯାଇଛି।

Advertisment

ଜୟପୁର ଭବାନୀପାଟଣା ମୋଟୁ ବସ ଭାବେ ଏହି ବସ ପରିଚିତ। ତେବେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଚାଲିଥିବାରୁ ଏହି ବସକୁ ଜୟପୁରରୁ ମୋଟୁ ପଠା ନଯାଇ ଜୟପୁର ଭବାନୀପାଟଣା ଚଳାଯାଉଛି ବୋଲି କହିଛନ୍ତି ଭାରାପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ। ସେଭଳି ଆସନ୍ତା ମଙ୍ଗଳବାର ଠାରୁ ଜୟପୁର- କଟକ (ଭାୟା ଆନ୍ଧ୍ରପ୍ରଦେଶ) ବସ ବି ଚଳାଚଳ ଆରମ୍ଭ କରିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଜୟପୁର- କଟକ(ଭାୟା ରାୟଗଡା), ଜୟପୁର –ଜଗଦଲପୁର, ଜୟପୁର-ଭବାନିପାଟଣା, ଜୟପୁର-ମୋଟୁ, ଜୟପୁର-କୋଟିଆ, ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା, ଭବାନୀପାଟଣା ମୋଟୁ ଆଦି ବସ ଗୁଡିକ ସହିଦ ସପ୍ତାହ ସରିବା ପରେ ୯ତାରିଖରୁ ଚାଲିବା ସମ୍ଭାବନା ରହିଛି ବୋଲି ଡିଟିଏମ୍ ଶ୍ରୀ ସାହୁ କହିଛନ୍ତି।

ସୂଚନା ଯୋଗ୍ୟ, କୋଭିଡ୍ କଟକଣା ଲାଗୁ ହେବା ପରେ ଜୟପୁର ଜୋନର ବସ ସବୁ ଅପରୋଡ କରାଯାଇଥିଲା। କେବଳ ଅଳ୍ପ ସଂଖ୍ୟକ ବସ ହିଁ ଗଂଜାମ, ମାଲାକାନାଗିରି ଓ କୋରାପୁଟ ପ୍ରବାସୀ ଶ୍ରମିକ ପରିବହନ ପାଇଁ ଯାଇଥିଲା।