ଭୁବନେଶ୍ବର/କଟକ : ଦିନ ଥିଲା ଭିଜିଲାନ୍ସ ହାବୁଡ଼ରେ କେବଳ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ପଡ଼ୁଥିଲେ। କିନ୍ତୁ ଉପରସ୍ତରରେ ହେଉଥିବା ଦୁର୍ନୀତିକୁ ଭିଜିଲାନ୍ସ ବାବୁମାନଙ୍କୁ ଦେଖା ଯାଉ ନ ଥିଲା। କାଁ ଭାଁ ପ୍ରଥମ ଶ୍ରେଣୀ କର୍ମଚାରୀ ଧରା ପଡ଼ୁଥିଲେ। କିନ୍ତୁ ଏବେ ଭିଜିଲାନ୍ସ ହାତରେ ଖାଲି ପ୍ରଥମ ଶ୍ରେଣୀ ଆଉ ଦ୍ବିତୀୟ ଶ୍ରେଣୀ କର୍ମଚାରୀ। ମାତ୍ର ୯ ମାସ ମଧ୍ୟରେ ରାଜ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୪୦ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ। ସୋମବାର ଦିନ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ହୋଇଥିବା ଭିଜିଲାନ୍ସ ସଚେତନା ସପ୍ତାହ ଅବସରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଚଳିତ ବର୍ଷର ୯ ମାସରେ ଭିଜିଲାନ୍ସ ୩୯୩ ଜଣଙ୍କ ବିରୋଧରେ ୨୧୯ଟି ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୪୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୪୦ ଜଣ ଦ୍ବିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ କର୍ମଚାରୀ୧୪୯ ଜଣ, ୫ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୦ ଜଣ ଅନ୍ୟ ସରକାରୀ କର୍ମଚାରୀ, ୧୨୫ ଜଣ ଘରୋଇ ବ୍ୟକ୍ତି ବିଶେଷ। ୨୧୯ଟି ମାମଲା ମଧ୍ୟରୁ ୬୧ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହୋଇଥିଲା। ଏଥିରୁ ୧୨୧.୯୯ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା।
୯ ମାସରେ ୩୯୩ ଜଣଙ୍କ ବିରୋଧରେ ୨୧୯ଟି ମାମଲା
ଗିରଫ ହୋଇଛନ୍ତି ୨୬ ଜଣ ପ୍ରଥମ ଶ୍ରେଣୀ ଅଫିସରଙ୍କ ସମେତ ୧୫୨
ଅନୁରୂପ ଭାବେ ୯୨ଟି ଲାଞ୍ଚ କାରବାର ଜନିତ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଏହି ସବୁ ମାମଲାରେ ୧୫୨ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୩୦ ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୭୯ ଜଣ ତୃତୀୟ ଶ୍ରେଣୀ ଅଧିକାରୀ, ଚତୁର୍ଥ ଶ୍ରେଣୀର ୪ ଜଣ ଅଧିକାରୀ, ୧୩ ଜଣ ଅନ୍ୟାନ୍ୟ।
୯ ମାସ ମଧ୍ୟରେ ଦୋଷୀମାନଙ୍କୁ କୋର୍ଟରେ ଦଣ୍ଡିତ କରାଇବାରେ ମଧ୍ୟ ଭିଜିଲାନ୍ସ ପୂର୍ବ ବର୍ଷର ସମସ୍ତ ରେକର୍ଡ କାଟିଛି। ୬୦ଟି ମାମଲାରେ ଅଭିଯୁକ୍ତମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ସେଥି ମଧ୍ୟରେ ଅଛନ୍ତି ୧୩ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୫ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୪୩ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୭ ଜଣ ଅନ୍ୟ ସରକାରୀ କର୍ମଚାରୀ ପ୍ରମୁଖ। ଏହି ସମୟରେ ରାଜ୍ୟ ସରକାର ୨ ଜଣ ପ୍ରଥମ ଶ୍ରେଣୀ, ୪ ଜଣ ଦ୍ବିତୀୟ ଶ୍ରେଣୀ, ୧୦ ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି।
ଦୁର୍ନୀତିରେ ଲିପ୍ତ ଥିବା ୨ ଜଣ ପ୍ରଥମ ଶ୍ରେଣୀ, ୫ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୨ ଜଣ ଦ୍ବିତୀୟ ଶ୍ରେଣୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରିଛନ୍ତି ରାଜ୍ୟ ସରକାର।
ସେହିପରି ୯ ମାସରେ ୬୬ଟି ସରକାରୀ ସମ୍ପତ୍ତି ଲୁଟ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଯେଉଁଥିରେ ୧୮୭ ଜଣଙ୍କ ଟଙ୍କା ହଡ଼ପ୍ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ୧୦୩ ଜଣ ସରକାରୀ କର୍ମଚାରୀ ଓ ୮୪ ଜଣ ଘରୋଇ କର୍ମଚାରୀଙ୍କୁ ଗିରଫ କରିଥିଲା। ଆଉ ଭିଜିଲାନ୍ସ ଜବତ କରିଥିଲା, ୧୬.୩୮ କୋଟି ଟଙ୍କା। ସରକାରୀ ସମ୍ପତ୍ତି ଲୁଟିବାରେ ୧୧ ଜଣ ପ୍ରଥମ ଶ୍ରେଣୀ, ୩ ଜଣ ଦ୍ବିତୀୟ ଶ୍ରେଣୀ, ୬୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୩ ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୮୪ ଜଣ ଘରୋଇ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।
ବଡ଼ କଥା ହେଉଛି ଏବେ ସୁଦ୍ଧା ଭିଜିଲାନ୍ସ ୨୦୨ଟି ମାମଲାର ତଦନ୍ତ ଚଳାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ୩୫ ଜଣ ପ୍ରଥମ ଶ୍ରେଣୀ, ୨୮ ଜଣ ଦ୍ବିତୀୟ ଶ୍ରେଣୀ, ୧୪୫ ଜଣ ତୃତୀୟ ଶ୍ରେଣୀ, ୫ ଜଣ ଚୁତର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ସେହିପରି ୧୮ ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୩୮ ଘରୋଇ କର୍ମଚାରୀଙ୍କର ତଦନ୍ତ ଚାଲିଛି। ଅନ୍ୟ ୧୦୮ଟି ମାମଲାର ତଦନ୍ତରେ ଅପରାଧ ପୃଷ୍ଠ ଭୂମି ଥିବା ସ୍ପଷ୍ଟ ହୋଇଛି।
ସେହିପରି କୋର୍ଟରେ ଚାର୍ଜସିଟ ଦାଖଲ କରିବାରେ ମଧ୍ୟ ଭିଜିଲାନ୍ସ ପଛରେ ନାହିଁ। ଏହି ସମୟ ମଧ୍ୟରେ ରୁଜୁ ହୋଇଥିବା ୧୮୬ଟି ମାମଲାରେ ୧୭୪ଟି ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇ ସାରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ୨୮ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୩୨ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୪୩ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଅନ୍ୟ ୮ଜଣଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ସାରିଛି।