ଭୁବନେଶ୍ୱର: ରାଜ୍ୟ ସରକାର ୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ କୋଭିଡ-୧୯ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମାରେ ଏହି ସୂଚନା ଦିଆଯ‌ାଇଛି। ଏହି ଆଇଏଏସ୍ ଅଧିକାରୀମାନେ ହେଲେ ଅନୁ ଗର୍ଗ , ଆର ଭିନିଲ କ୍ରିଷ୍ଣା, ସୁରେନ୍ଦ୍ର କୁମାର, ବିଶାଲ କୁମାର ଦେବ, ଡ. କ୍ରିଷନ୍ କୁମାର, ଅରବିନ୍ଦ ଅଗ୍ରଓ୍ଵାଲ,ସଚିନ ରାମଚନ୍ଦ୍ର ଯାଦବ, ଭୁପେନ୍ଦ୍ର ସିଂହ ଯାଦବ ଓ ରଶ୍ମିତା ପଣ୍ଡା।

Advertisment

ସୂଚନା ଅନୁସାରେ, ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଓ ଓଡ଼ିଶା ମାଇନିଂ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣାଙ୍କୁ କୋଭିଡ୍ -୧୯ ପରିଚାଳନା ଦାୟିତ୍ବରୁ ଅନ୍ତର କରାଯାଇଛି।  ଅନୁ ଗର୍ଗ କୋଭିଡ-୧୯ ପରିଚାଳନାରେ ଇଏସଆଇ କାମ ଓ କୋଭିଡ-୧୯ ସଂପର୍କିତ ତାଲିମ ପ୍ରଦାନ କରିବା ଦାୟିତ୍ୱରେ ଥିବା ବେଳେ ଭିନିଲ କ୍ରିଷ୍ଣା ସିଏମଓର ମୁଖ୍ୟ ପରାମର୍ଶଦାତାଙ୍କର ଓଏସଡି ଦାୟିତ୍ୱ ତୁଲାଉଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ କୋଭିଡ-୧୯ ପରିଚାଳନା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ମିଳିଥିଲା ବେଳେ କ୍ରୀଡ଼ା ଓ ଯୁବ ସେବା ସଚିବ ବିଶାଲ କୁମାର ଦେବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ସେହିପରି ପୂର୍ତ୍ତ ବିଭାଗର କମିସନର ତଥା ସଚିବ ଡ. କ୍ରିଷନ୍ କୁମାରଙ୍କୁ କୋଭିଡ-୧୯ ପାଇଁ ୧୦୪ କଲ ସେଣ୍ଟରରେ ଡିଜିଟାଲ ରେସ୍‌ପନ୍ସ ସିଷ୍ଟମରେ ଦାୟିତ୍ୱ ମିଳିଥିଲା। ଏହି ତିନି ଜଣଙ୍କୁ ଏହି ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି।

ସେହିପରି ସାମାଜିକ କଲ୍ୟାଣ ଓ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ କୋଭିଡ-୧୯ ପରିଚାଳନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦାୟିତ୍ବ ମିଳିଥିଲା । ରାଜ୍ୟ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ଯାଦବଙ୍କୁ ମଧ୍ୟ କୋଭିଡ-୧୯ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହଯୋଗ କରିବାକୁ କୁହାଯାଇଥିଲା। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ନିର୍ଦ୍ଦେଶକ ରଶ୍ମିତା ପଣ୍ଡାଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ସଚିବଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ। ଏହି ଅଧିକ‌ାରୀଙ୍କୁ ସେମାନଙ୍କ ଅତିରିକ୍ତ ଦାୟିତ୍ବରୁ ମୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ମାର୍ଚ୍ଚ ୨୫ ତାରିଖରେ ଉପରୋକ୍ତ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ କୋଭିଡ ମୁକାବିଲା ପାଇଁ ବିଭିନ୍ନ ବିଭାଗରେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ। ଏହି ଅଧିକାରୀମାନଙ୍କୁ କୋଭିଡ ଦାୟିତ୍ୱରୁ ମୁକ୍ତ କରାଯିବା ପରେ ସେମାନେ ଏବେ ନିଜର ପୂର୍ବ ବିଭାଗରେ କାମ କରିବେ।