ଗୁୁଣି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା ମାମଲା : ୯ଜଣଙ୍କୁ ଫାଶୀଦଣ୍ଡ

ଗୁଣପୁର/ରାୟଗଡ଼ା : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ମୃତକ ୩ ଜଣ ହେଲେ ବାପା, ମା’ ଓ ସେମାନଙ୍କର ଏକ ଝିଅ। ଅଭିଯୁକ୍ତମାନେ ଅତ୍ୟନ୍ତ ନୃଶଂସ ଭାବେ ସେମାନଙ୍କୁ ହତ୍ୟା କରିଥିଲେ। ବାପାମା’ଙ୍କୁ ପିଟିପିଟି ଦରମରା କରିବା ସହିତ ଝିଅ ପାଟିରେ କୀଟନାଶକ ଇଞ୍ଜେକ୍‌ସନ୍‌ ଭର୍ତ୍ତି କରି ମୃତପ୍ରାୟ କରିଦେଇଥିଲେ। ଏହାପରେ ଜୀବନ ଥାଉଥାଉ ୩ ଜଣଙ୍କୁ ମାଟି ତଳେ ପୋତି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ପୁଣିଥରେ ମାଟିତଳୁ କାଢ଼ି ପୋଡ଼ି ଦେଇଥିଲେ। ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଜି ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି। ଗୁଣିଗାରେଡ଼ି ଘଟଣାରେ ଫାଶୀ ଦଣ୍ଡାଦେଶ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।

ପ୍ରାୟ ଦେଢ଼ ବର୍ଷର ଶୁଣାଣି ପରେ ଗତ ୧୧ତାରିଖ ଦିନ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡ. ଶୁଭେନ୍ଦୁ କୁମାର ପତି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାାଦେଶକୁ ସଂରକ୍ଷିତ କରି ରଖିଥିଲେ। ଆଜି ରାୟ ଶୁଣାଇ ନାବାଳକ ବ୍ୟତିରକେ ଅନ୍ୟ ୯ ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ନିର୍ଦେଶ ଦେଇଛନ୍ତି। ଫାଶୀ ପାଇଥିବା ଅଭିଯୁକ୍ତମାନେ ହେଲେ, ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନୁ ଶବର, ଦଶନ୍ତ ଶବର ଓ ଦାଲସା ଶବର।

ପୁଲିସର ଚାର୍ଜସିଟ୍‌ରେ ମୋଟ ୨୪ଜଣ ସାକ୍ଷୀ ରହିଥିବା ବେଳେ ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୧ଜଣଙ୍କ ବୟାନକୁ ଆଧାର କରି କୋର୍ଟ ଏହି ରାୟ ଦେଇଛନ୍ତି। ଅଦାଲଦଙ୍କ ରାୟ ପରେ ସମସ୍ତ ଆସାମୀଙ୍କୁ ଗୁଣପୁରସ୍ଥିତ ଉପକାରଗାରକୁ ପଠାଯାଇଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ କୋରାପୁଟସ୍ଥିତ ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ମାସରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍‌ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁଂ ଗ୍ରାମରେ ଏହି ଘଟଣା ଘଟିଥିଲା। ସେହି ଗାଁର ଅସୀମ ଶବର, ତାଙ୍କ ପତ୍ନୀ ଆମ୍ବଏ ଶବର ଏବଂ ବଡ଼ ଝିଅ ଅସମଣି ଶବର ଗୁଣି କରି ସମସ୍ତଙ୍କୁ ହତ୍ୟା କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ଏହାପରେ ଗାଁରେ ବୈଠକ ହୋଇ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦିଆଯାଇଥିଲା। ବହୁ କଷ୍ଟରେ ଅସୀମ ଲକ୍ଷେ ଟଙ୍କା ଦେଇଥିଲେ। ତଥାପି ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତି ପାରି ନ ଥିଲେ। ସେପ୍ଟେମ୍ବର ୯ତାରିଖ ଦିନ ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନୁ ଶବର, ଦଶନ୍ତ ଶବର, ଦାଲସା ଶବର ଏବଂ ଅନ୍ୟ ଜଣେ ନାବାଳକ ଘରେ ପଶି ଦଂପତିଙ୍କ ସହ ଦୁଇ ଝିଅଙ୍କୁ ଆକ୍ରମଣ କରିଥିଲେ। ଘରୁ ଘୋଷାରି ନେଇ ସାନ ଝିଅ ମେଳତି ଶବରଙ୍କୁ ଅଳ୍ପ ଦୂରରେ ଗୋଟିଏ ଖୁଣ୍ଟିରେ ବାନ୍ଧି ଦେଇଥିଲେ। ଅନ୍ୟମାନଙ୍କୁ ଗାଁ ଶେଷ ମୁଣ୍ଡରେ ଥିବା ଗୁହାଳରେ ନିର୍ମମ ଭାବେ ପିଟିଥିଲେ। ଦରମରା ଅବସ୍ଥାରେ ଥିବା ବଡ ଝିଅ ଆଶାମଣିଙ୍କ ପାଟି, ଆଖି ଓ ସମ୍ବେଦନଶୀଳ ଅଙ୍ଗରେ କୀଟନାଶକ ଔଷଧ ଭର୍ତି ଇଞ୍ଜେକ୍ସନ ଦେଇଥିଲେ। ସେଠାରୁ ପୁଣି ୩ ଜଣଙ୍କୁ ପିଟି ପିଟି ଗାଁ ଶ୍ମଶାନକୁ ନେଇ ଗୋଟିଏ ଗାତ ଖୋଳି ପୋତି ଦେଇଥିଲେ। ତେବେ, ଘଟଣା ପ୍ରଘଟ ହୋଇଯିବାରୁ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଶବକୁ କାଢି ସଂପୂର୍ଣ୍ଣ ପୋଡି ଦେଇ ପୁଣି ମାଟି ପକାଇ ଘୋଢାଇ ଦେଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ସାନ ଝିଅ ମେଳିତ ଶବର। ତାଙ୍କୁ ବି ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସିଯିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।

ହତ୍ୟାକାଣ୍ଡର ପ୍ରାୟ ସପ୍ତାହେ ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ସଂପୃକ୍ତ ୧୦ ଜଣଙ୍କୁ ଗିରଫ ହୋଇଥିଲେ ହେଁ ଜଣେ ନାବାଳକ ହୋଇଥିବାରୁ ବ୍ରହ୍ମପୁର ରିମାଣ୍ଡ ହୋମକୁ ପଠାଯାଇଥିଲା। ଅନ୍ୟ ସମସ୍ତେ ଗୁଣପୁର ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହିଥିଲେ।

ଘଟଣାକ୍ରମ

୯ ସେପ୍ଟେମ୍ବର ୨୦୧୬: ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବଏ ଶବର ଏବଂ ବଡଝିଅ ଆଶମଣି ଶବରଙ୍କୁ ପିଟି ପିଟି ଅର୍ଧମରା କରିବା ସହ ଜିଅନ୍ତା ପୋତି ଦିଆଯାଇଥିଲା।
୧୬ ସେପ୍ଟେମ୍ବର ୨୦୧୬: ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ପୋତି ଦେଇଥିବା ଶବକୁ ବାହାର କରି ପୋଡ଼ି ଦେଇଥିଲେ।
୧୬ ସେପ୍ଟେମ୍ବର ୨୦୧୬: ପୁଲିସ୍‌ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଦସଲ ଶବର, ଦଶନ୍ତ ଶବର, ଡେଙ୍ଗୁନ ଶବର, ଅଜନ୍ତି ଶବର, ପଢନ୍ତି ଶବର, ମାଲକ ଶବରଙ୍କୁ ଗିରଫ କରିଥିଲା।
୧୭ ସେପ୍ଟେମ୍ବର ୨୦୧୬: କୋରାପୁଟରୁ ୫ଜଣିଆ ସାଇଣ୍ଟିଫିକ
ଦଳ ଘଟଣାସ୍ଥଳ ପରିଦର୍ଶନ କରି ହାଡ଼ ଓ ପାଉଁଶ ଜବତ କରି ପରୀକ୍ଷା ପାଇଁ ନେଇଥିଲେ।
୧୮ ସେପ୍ଟେମ୍ବର ୨୦୧୬: ଛଦ୍ମବେଶରେ ବୁଲୁଥିବା ଅଭିଯୁକ୍ତ ବାବୁନ ଶବରକୁ ଗଜପତି ଜିଲ୍ଲାରେ ପୁଲିସ ଗିରଫ କରିଥିଲା।
୧୯ ସେପ୍ଟେମ୍ବର ୨୦୧୬: ୧୯ ତାରିଖ ମଧ୍ୟାହ୍ନରେ ଗୁଣପୁର ଜେଏମଏଫସି କୋର୍ଟରେ ମେଳିତା ଶବରଙ୍କ ୧୬୪ଧାରା ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା।
୨୦ ସେପ୍ଟେମ୍ବର ୨୦୧୬: ୨୦ ତାରିଖ ଦିନ ଅଭିଯୁକ୍ତ ଇରୁ ଶବର, ଲାକିଆ ଶବର, ଭୁବନ ଶବରଙ୍କୁ ପୁଲିସ ଗିରଫ କରାଯାଇଥିଲା। ନାବାଳକ ଅଭିଯୁକ୍ତକୁ ଗିରଫ କରି ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିଲା।
୧୦ ଜୁଲାଇ ୨୦୧୭: ପୁଟାସିଂ ଥାନା ଆଇଆଇସି ଜ୍ଞାନେନ୍ଦ୍ର କୁମାର ସାହୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ।
୧୧ ଏପ୍ରିଲ ୨୦୧୮: ମାନ୍ୟବର ଏଡିଜେ ଡ଼. ଶୁଭେନ୍ଦୁ କୁମାର ପତି ୧୦ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
୧୩ ଏପ୍ରିଲ ୨୦୧୮: ୯ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କଲେ ଏଡିଜେ।

ସମ୍ବନ୍ଧିତ ଖବର