ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡ୍ଲାଇନ୍ ଆଧାରରେ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି। କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା ଚାଲିବ। ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ। ଏବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବାରୁ ୯ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା କିଭଳି ହେବ ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି। ପୂର୍ବଥର ପରି ଏଥର ବି ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଦୁଇଟି ସିଟିଂରେ କରିବାକୁ ଯୋଜନା ହୋଇଛି। ଏନେଇ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନିୟମାବଳୀ ପ୍ରକାଶ କରାଯିବ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏସ୍ଆରସିଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଯେଉଁ ଗାଇଡ୍ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି। ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅଗଷ୍ଟ ୧୬ରୁ ଆରମ୍ଭ ହେବ ବୋଲି ଆଗରୁ କୁହାଯାଇଥିଲା। ସେଥିପାଇଁ ବିଭାଗ ପ୍ରସ୍ତୁତି ଚଲାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ୍ ଖୋଲିବ କି ନାହିଁ, ସେନେଇ ଅଧିକ ତର୍ଜମା ଚାଲିଛି। ତେବେ ଏକାଦଶ ଶ୍ରେଣୀ ଲାଗି ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ସେମାନଙ୍କ କ୍ଲାସରୁମ୍ ପାଠପଢ଼ା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ।
ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୧୦ ଦିନ ହେଲା ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ସୋମବାର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଯାଇଛି। ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ। ଉଚ୍ଚ ଶିକ୍ଷାନୁଷ୍ଠାନ କେବେଠାରୁ ଖୋଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ୟୁଜି ଓ ପିଜିର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କର ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ। ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଉଠାଇପାରୁ ନାହାନ୍ତି। ଏମିତିକି ଇଣ୍ଟରନାଲ ପରୀକ୍ଷା କରିବା ପାଇଁ ବିଭାଗୀୟ ସଚିବଙ୍କ ନିର୍ଦେଶକୁ ଅପେକ୍ଷା କରି ରହିଛନ୍ତି। କେତେବେଳେ ନିର୍ଦେଶ ଆସିବ ଏବଂ ସେମାନେ ପରୀକ୍ଷା କରିବେ ତାହାକୁ ଚାହିଁ ବସିଛନ୍ତି। ୟୁଜି ଓ ପିଜି ଦ୍ବିତୀୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଯେତେବେଳେ କି ଏବେ ତୃତୀୟ ସେମିଷ୍ଟର ପାଠପଢ଼ା ଆରମ୍ଭ ହେବା କଥା। ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ୩ଟି ସେମିଷ୍ଟର ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।
ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ, ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇ ନାହିଁ। ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏସ୍ଆରସିଙ୍କ ଅଗଷ୍ଟ ମାସ ଗାଇଡ୍ଲାଇନ୍କୁ ଅପେକ୍ଷା କରିଥିଲୁ। ଶନିବାର ନିୟମାବଳୀ ଆସିଥିବାରୁ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ଅଗଷ୍ଟ ୧୦ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।