ନବମ ଶ୍ରେଣୀ ଛାତ୍ରଙ୍କ ସ୍ବପ୍ନର ଉଡ଼ାଣ: ତିଆରି କଲେ ୫ ପ୍ରକାର ଖେଳଣା ଉଡ଼ାଜାହାଜ

କଟକ : ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ ଓ ଆର୍ଥିକ ପ୍ରତିବନ୍ଧକ। ମାତ୍ର ୧୪ ବର୍ଷ ବୟସରେ ସେ ଅନେକଙ୍କୁ ଚକିତ କରି ଦେଲାଭଳି କାର୍ଯ୍ୟ କରିଛନ୍ତି। ନିଜ ଉଦ୍ୟମରେ କାର୍ଡ ବୋର୍ଡ ଓ ଇଲୋକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରି ୫ ପ୍ରକାରର ଉଡ଼ାଜାହାଜ, ବୋଟ୍‌, ଜେସିବି ମେସିନ, ଡିଜେ ଚେଚିସ୍‌, ମଟର ସାଇକେଲ, ସ୍କୁଟର, ଡବଲ ଷ୍ଟ୍ରକଚର ସାଇକେଲ ପରି ଅନେକ କିଛି ଖେଳଣା ନିର୍ମାଣ କରିଛନ୍ତି ନବମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା। ଯେମିତିକି, ଆଦିତ୍ୟଙ୍କର ଏହା ଖେଳଣା ନିର୍ମାଣ ନୁହେଁ, ସ୍ବପ୍ନର ଉଡ଼ାଣ।

ତୁଳସୀପୁର ସରକାରୀ ହାଇସ୍କୁଲର ୯ମ ଶ୍ରେଣୀ ଛାତ୍ର ଆଦିତ୍ୟ ହେଉଛନ୍ତି, ମଠସାହି ବାସିନ୍ଦା ତଥା ଅଟୋ ଚାଳକ ବିପିନ ମହାରଣାଙ୍କ ପୁଅ। ତିନି ବର୍ଷ ପୂର୍ବେ ଆଦିତ୍ୟ ଜଣେ ସଂପର୍କୀୟ ଭାଇଙ୍କ ଠାରୁ ମାଟିର ମୂର୍ତ୍ତି ଓ ଖେଳଣା ତିଆରି କରିବାର କୌଶଳ ଶିଖି ନିଜେ ସୁନ୍ଦର ସୁନ୍ଦର ମାଟିର କଣ୍ଢେଇ ତିଆରି କରିଥିଲେ। ପ୍ରଥମେ ୨୦୧୯ରେ ଡିଜ୍‌ନି ଚ୍ୟାନେଲରେ ଖେଳଣା ଗାଡ଼ି ତିଆରି ‌କରିବାର କୌଶଳ ଦେଖି ଏଥିପ୍ରତି ଆକୃଷ୍ଟ ହୋଇଥିଲେ ଆଦିତ୍ୟ। ଘରେ କାର୍ଡବୋର୍ଡ କାଟି ଅଠାରେ ସେଗୁଡିକ ଯୋଡି ଛୋଟଛୋଟ ଗାଡ଼ି ତିଆରି କଲେ। ପରିବାର ଲୋକଙ୍କ ବାରଣ ସତ୍ତ୍ବେ ୟୁଟ୍ୟୁବ୍ ଚ୍ୟାନେଲ ଦେଖି କିଛି ଇଞ୍ଜେକ୍ସନ୍‌ ସିରିଞ୍ଜ୍‌ରେ ପ୍ରଥରେ ଏକ ଜେସିବି ମେସିନ ତିଆରି କଲେ। ଏହା ଦେଖି ବାପା ବିପିନ ପୁଅକୁ ଏ ଦିଗରେ ଉତ୍ସାହିତ କଲେ। ସେ ଅଟୋ ଚଳାଇ ଯାହା ଟଙ୍କା ରୋଜଗାର କରନ୍ତି, ତାହାର ୫୦ ଭାଗ ପୁଅର ବିଭିନ୍ନ ନିର୍ମାଣ ପାଇଁ ବ୍ୟବହାର ଉପକରଣ କିଣାରେ ଖର୍ଚ୍ଚ କରୁଛନ୍ତି।

ଏଥିରେ ଉତ୍ସାହିତ ହୋଇ ଆଦିତ୍ୟ ବ୍ରସ‌ ଲେସ୍‌ ମଟର, ସର୍ଭର ମଟର, ଇଏସ୍‌ପି, ରିସିଭର, ରୢାଡର, ବ୍ୟାଟେରି ଆଦି ଯନ୍ତ୍ରାଂଶକୁ ବ୍ୟବହାର କରି ଡେଲ୍‌ଟା ଉଇଂଗ୍‌ସ ପ୍ଲେନ୍‌, ପୁସର୍‌ ପ୍ଲେନ୍‌, ପୁଲର୍‌ ପ୍ଲେନ୍‌, ରିଗର୍‌ ପରି ‌ଉଡାଜାହାଜ ଖେଳଣା ତିଆରି କରିବା ସହିତ ପାଣିରେ ଚାଲିବା ପାଇଁ ବୋଟ୍‌ ଆଦି ନିର୍ମାଣ କରିଛନ୍ତି। ଉଡ଼ାଜାହାଜ ଗୁଡିକ ଥରେ ଦୁଇ ଘଣ୍ଟା ପାଇଁ ଚାର୍ଜ ହେଲେ ମାଟିରୁ ୮ଶହ ମିଟର ଉପରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ି ପାରୁଛନ୍ତି। ସେହିପରି ପାଣି ବୋଟ୍‌ ଘଣ୍ଟାକୁ ୨୦ କିଲୋମିଟର ବେଗରେ ୩୦ ମିନିଟରୁ ଅଧିକ ସମୟ ପାଣିରେ ଚାଲୁଛି।

କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବା‌ବେଳେ ଲକ୍‌ଡାଉନ୍‌ରେ ଘରେ ରହି ନିଜ ଉଦ୍ୟମରେ ଏହି ସବୁ ଯାନକୁ ତିଆରି କରିଛନ୍ତି ଆଦିତ୍ୟ। ଭବିଷ୍ୟତରେ ଜଣେ ଏୟାରକ୍ରାଫ୍ଟ ଇଂଜିନିୟର ହେବି ବୋଲି ଆଦିତ୍ୟ କୁହନ୍ତି। ଅନ୍ୟପକ୍ଷରେ ବାପା ବିପିନ କହିଛନ୍ତି, ପୁଅର ଏହି କାମ ଦେଖିଲେ ବହୁତ ଖୁସି ଲାଗେ। ତା’ ସ୍ବପ୍ନ ପୂରଣ ପାଇଁ ଅନେକ ଟଙ୍କା ଦରକାର। ଅଟୋ ଚଳାଇ ଯାହା ରୋଜଗାର କରୁଛି ସେଥିରୁ ଏଥିପାଇଁ ଖର୍ଚ୍ଚ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର