ଓଡ଼ିଶାରେ ନିପା ଭୟ!

ବାଲେଶ୍ୱରର ୮ ଅସୁସ୍ଥ ଏସ୍‌ସିବିରେ ଭର୍ତ୍ତି, ସ୍ୱତନ୍ତ୍ର ଓ୍ଵାର୍ଡରେ ମାସ୍କ ପିନ୍ଧାଇ ଚିକିତ୍ସା ଚାଲିଛି

କଟକ/ବାଲେଶ୍ୱର: ଓଡ଼ିଶାରେ ଏବେ ‘ନିପା’ ଭୟ! ଗୋଆରେ ବାଲେଶ୍ୱର ଭୋଗରାଇ ଅଞ୍ଚଳର ଦୁଇ ଭାଇ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଆକ୍ରାନ୍ତ ଅନ୍ୟ ୮ ଜଣଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସ୍ୱତନ୍ତ୍ର ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ଏଥିପାଇଁ ଏକ ଡାକ୍ତରୀଦଳ ଗଠନ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କୁ ମାସ୍କ ପିନ୍ଧାଇ ଚିକିତ୍ସା କରାଯାଉଛି। କିଛି ମାସ ମଧ୍ୟରେ ଗୋଆରେ ‘ନିପା’ ଭୟ ଦେଖିବାକୁ ମିଳିଥିବାରୁ ରୋଗୀଙ୍କ ମାଧ୍ୟମରେ କାଳେ ଏହି ଭୂତାଣୁ ଆସିଥିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରର କିଛି ଲୋକ ଗୋଆରେ କାମ କରୁଥିବା ବେଳେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ଏହି ଗ୍ରାମର ଅମୂଲ୍ୟ ଜେନାଙ୍କ ତିନି ପୁଅ ଉତ୍ତମ (୨୨), ବରେନ୍ଦ୍ର (୨୮) ଓ ମନୋରଂଜନ (୨୫) ଗୋଆସ୍ଥିତ ଅନ୍ତରାଇ ହୋଟେଲ୍‌ ଓ ରେସ୍ତୋରାଁରେ ହୋଟେଲ୍‌ବୟ ଭାବେ କାମ କରୁଥିଲେ।

ବର୍ଷେ ହେବ ଉତ୍ତମ ସେଠାରେ କାମ କରୁଥିବାବେଳେ ୧୩ ଦିନ ତଳେ ନିଜର ଦୁଇଭାଇଙ୍କ ସହ ସେହି ପଞ୍ଚାୟତର ଗୌତମ ଜେନା (୨୨), ଶୁକଦେବ ଜେନା (୨୦), ରାଜେନ୍ଦ୍ର ପରିଡ଼ା (୧୮), ଜୟଦେବ ଜେନା (୨୫), ବିଶ୍ୱରଂଜନ ଜେନା (୨୪), ରତନ ଜେନା (୧୮), ତପନ ଦଳେଇ (୧୮)ଙ୍କୁ ସାଙ୍ଗରେ ନେଇ ହୋଟେଲ୍‌ କାମରେ ଲଗାଇଥିଲେ। ୪ ଦିନ ତଳେ ଉତ୍ତମ ହଠାତ୍‌ ଅସୁସ୍ଥ ହେବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ବଡ଼ଭାଇ ବରେନ୍ଦ୍ରଙ୍କ ଦେହରେ ବି ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜ୍ୱର, କାଶ ଓ ପେଟବ୍ୟଥା ହୋଇ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ମୃତକଙ୍କ ଭାଇ ମନୋରଂଜନଙ୍କ ସହ ଅନ୍ୟ ୭ ଜଣ ଅସୁସ୍ଥ ଥିବା ସୂଚନା ମିଳିଥିଲା। କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇଭାଇ ମୃତ୍ୟୁ ଘଟିଥିବା ଓ ଅନ୍ୟମାନେ ଅସୁସ୍ଥ ହୋଇଥିବା ବେଳେ ଭୋଗରାଇ ଅଞ୍ଚଳରେ ଆତଙ୍କ ଖେଳିଥିଲା।

ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଥିଲା। ଅସୁସ୍ଥମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା କରାଯିବ ସେନେଇ ପଦକ୍ଷେପ ନେଇଥିଲା। ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଜରୁରିକାଳୀନ ଅଧିକାରୀ ବାଲେଶ୍ୱର ଷ୍ଟେସନ୍‌ ମ୍ୟାଜେନରଙ୍କ ସହ ଯୋଗସୂତ୍ର ରକ୍ଷା କରିଥିଲେ। ଅସୁସ୍ଥମାନେ ଆସୁଥିବା ଅମରାବତୀ ଏକ୍ସପ୍ରେସ୍‌ ଷ୍ଟେସନ୍‌ରେ ପହଂଚିବା ପରେ ମାଇକ୍‌ ଯୋଗେ ଘୋଷଣା କରି ସଂପୃକ୍ତ ଅସୁସ୍ଥମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିିକିତ୍ସା ପାଇଁ ସରକାରୀ ଆମ୍ବୁଲାନ୍‌ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରର ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ କହିବାନୁସାରେ, ନିଶ୍ଚିତ ଭାବେ ଏହି ଲୋକମାନେ ‘ନିପା’ କିମ୍ବା ସେହିଭଳି ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିଛି ମାସ ତଳେ ଗୋଆରେ ନିପା ରୋଗର ଆତଙ୍କ ଦେଖିବାକୁ ମିଳିଥିଲା। ଚିକିତ୍ସା ପରେ କେତେଜଣ ରୋଗୀଙ୍କ ଦେହରେ ଏହାର ଭୂତାଣୁ ଦେଖିବାକୁ ମିଳିଥିଲା। ସେହି ଦୃଷ୍ଟିକୋଣରୁ ଏହିଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ, ଏସ୍‌ସିବି କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଏହା ନିପା ନୁହେଁ, ସିଜିନାଲ ଫ୍ଲୁ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ କହିବା ସହ ଏହାକୁ ନେଇ ଆତଙ୍କିତ ନ ହେବାକୁ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି। ଅସୁସ୍ଥଙ୍କୁ ପଲ୍‌ମୁନାରି ମେଡିସିନ ବିଭାଗ ପ୍ରଫେସର ଏଚ୍‌. କେ ସେଠୀଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ସମସ୍ତ ଅସୁସ୍ଥ ଏବେ ବିପଦମୁକ୍ତ ଥିବା ଡାକ୍ତର ମହାରଣା ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କ ଚିକିତ୍ସା କରାଯିବା ସହ ରକ୍ତ ନମୁନା ଆଦି ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର